ବ୍ରହ୍ମପୁର,ଏନ୍ଏନ୍ଏସ୍: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ମଣ୍ଡଳକାରାଗାରରେ ଦୀର୍ଘ ୭ ବର୍ଷ ହେବ ବିଚାରାଧୀନ ବନ୍ଦୀ ଭାବେ ରହିଥିବା ବେଳେ କଡା ସୁରକ୍ଷା ବଳୟରେ ତାଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ତାଙ୍କୁ କର୍ଣ, ନାସା ଓ ଗଳା (ଇଏନ୍ଟି)ବିଭାଗର ୟୁନିଟ୍ ୧ମରେ ଭର୍ତ୍ତି କରାଯାଇ ତାଙ୍କ ଚିକିତ୍ସା ଜାରି ରହିଛି । ପୂର୍ବରୁ ସବ୍ୟସାଚୀଙ୍କ କାନ ଓ ଦାନ୍ତ ଯନ୍ତ୍ରଣା ହେବାରୁ ସେ କାରାଗାର ଭିତରେ ଥିବା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ କାନରେ ଅସ୍ତ୍ରୋପଚାର ହେବ ବୋଲି କାରାଗାରର ଡାକ୍ତର ପରାମର୍ଶ ଦେବା ପରେ ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ମଧ୍ୟାହ୍ନରେ ଇଏନ୍ଟି ବିଭାଗର ସହକାରୀ ପ୍ରଫେସର ମମତା ସାହୁ ଓ ତାଙ୍କ ଟିମ୍ ସବ୍ୟସାଚୀଙ୍କୁ (କର୍ଣ)କାନରେ ଅସ୍ତ୍ରୋପଚାର କରିଥିଲେ । ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ସବ୍ୟସାଚୀଙ୍କ ଅସ୍ତ୍ରୋପଚାର ପରେ ସେ ଏବେ ୪ ନମ୍ବର ବେଡ଼ରେ ଚିକିତ୍ସିତ ହେଉଛନ୍ତି । ଏବଂ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ଏମ୍କେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୨୦୧୪ ଜୁଲାଇ ୧୮ ତାରିଖରେ ବଡ଼ ବଜାର ଥାନା ଅଞ୍ଚଳରୁ ସବ୍ୟସାଚୀ ପଣ୍ଡାକୁ ପୁଲିସ ଗିରଫ କରିଥିଲା । ସେହିଦିନ ଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି । ଗଞ୍ଜାମ, ଗଜପତି, ଫୁଲବାଣୀ, ନୟାଗଡ ଓ କନ୍ଧମାଳ ଜିଲ୍ଲାରେ ସବ୍ୟସାଚୀଙ୍କ ନାମରେ ୧୨୮ ଗୋଟି ମାମଲା ରହିଛି । ସେଥିମଧ୍ୟରୁ ୭୦ ଗୋଟି ମାମଲାର ବିଚାରଣା ହୋଇସାରିଛି ବୋଲି ତାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି ।