ଭୁବନେଶ୍ୱର,ଏନ୍ଏନ୍ଏସ୍: ଆକ୍ସନମୁଡରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବ । ରାଜ୍ୟର ସମସ୍ତ ସରକାରୀ ସ୍କୁଲର ନକ୍ସା ପରିବର୍ତ୍ତନ କରିବା ସହ ଶ୍ରେଣୀରେ ପିଲାଙ୍କ ଲାଗି ଗୁଣାତ୍ମକ ଶିକ୍ଷାଦାନ ଏବଂ ଉନ୍ନତ ଭିତ୍ତିଭୂମି ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ପୁଣି କରୋନା ଗ୍ରଫେ୍ ମୁଣ୍ଡ ଟେକିଥିବା ବେଳେ ଶ୍ରେଣୀରେ ପିଲାଙ୍କ ଲାଗି ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ପ୍ରତ୍ୟେକ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ସର୍ବାଧିକ ୩୫ଜଣ ଲେଖାଏଁ ଛାତ୍ରଛାତ୍ରୀ ରହିବେ । ଏହାବ୍ୟତୀତ ପ୍ରତି ଶ୍ରେଣୀରେ କାନ୍ଥର ତଳୁ ଦେଢ଼ଫୁଟ୍ର କଳାପଟା ପ୍ରସ୍ତୁତ କରାଯିବ । ଯେଉଁଥିରେ ପିଲାମାନେ ନିଜେ ଲେଖିବାର ସୁଯୋଗ ପାଇବା ସହ ଶ୍ରେଣୀରେ ଶିକ୍ଷକ ଯାହା ପଢ଼ାଇବେ ସେହି ପଢ଼ାକୁ ପିଲାମାନେ ନିଜ ପାଖରେ ଥିବା କଳାପଟାରେ ଅଭ୍ୟାସ କରିବେ ।
ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୩୬ହଜାର ୭୦ଟି ସରକାରୀ ପ୍ରାଥମିକ ସ୍କୁଲ ରହିଛି । ଏହି ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସଂଖ୍ୟା ୨୨ଲକ୍ଷ ୬୨ହଜାର ୭୪୯ଜଣ । ସେଥିରୁ ଛାତ୍ରଙ୍କ ସଂଖ୍ୟା ୧୧ଲକ୍ଷ ୬୪ହଜାର ୯୧୫ ଏବଂ ଛାତ୍ରୀଙ୍କ ସଂଖ୍ୟା ୧୦ଲକ୍ଷ ୯୭ହଜାର ୮୩୩ ରହିଛି । ସେହିପରି ରାଜ୍ୟରେ ପ୍ରାଥମିକ ସ୍କୁଲ ଲାଗି ଶିକ୍ଷକଙ୍କ ସଂଖ୍ୟା ୧ଲକ୍ଷ ୩୦ହଜାର ୫୧୬ଜଣ । ତେବେ ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଥିବାରୁ ପ୍ରଥମ ପର୍ଯ୍ୟାୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଅନୁପାତକୁ ଗୁରୁତ୍ୱ ଦିଆଯାଉଛି । ତେବେ କିଛି ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅଧିକ ପିଲା ଥିବା ବେଳେ କିଛି ସ୍କୁଲରେ ପିଲାଙ୍କ ସଂଖ୍ୟା ଶ୍ରେଣୀ ପ୍ରତି ୩୫ରୁ କମ୍ ମଧ୍ୟ ରହିଛି । ସେହିପରି ଶିକ୍ଷକଙ୍କ ସଂଖ୍ୟା ମଧ୍ୟ କିଛି ସ୍କୁଲରେ ଆବଶ୍ୟକ ଠାରୁ ଅଧିକ ଥିବା ବେଳେ କିଛି ସ୍କୁଲରେ ଆବଶ୍ୟକ ଠାରୁ କମ୍ ରହିଛି । ତେଣୁ ଏପରି ସମସ୍ୟାର ସମାଧାନ ଲାଗି ପ୍ରଥମ ପର୍ଯ୍ୟାୟରେ କେବଳ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ଯୋଜନା କରିଛନ୍ତି ।
ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ସରକାର ରାଜ୍ୟରେ ଅନେକ ସ୍କୁଲକୁ ମର୍ଜ କରିବାପରେ ଅନେକ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଯେଉଁ ସ୍କଲରେ ଶିକ୍ଷକଙ୍କ ସମସ୍ୟା ରହିଛି ସମ୍ପୃକ୍ତ ସ୍କୁଲଗୁଡିକରେ ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ସମସ୍ୟାର ସମାଧାନ କରାଯିବ । ଏପରି ବ୍ୟବସ୍ଥା ମାଧ୍ୟମରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ । ଫଳରେ ସେହି ଛାତ୍ରଛାତ୍ରୀ ୪ର୍ଥ ଶ୍ରେଣୀକୁ ଯିବା ପୂର୍ବରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଦକ୍ଷତା ହାସଲ କରିଥିବେ ।