ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିିଲ୍ଲା ଫୁଲବାଣୀ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଚାରା ବିତରଣ କେନ୍ଦ୍ର ଫୁଲବାଣୀ ବନଖଣ୍ଡ ପକ୍ଷରୁ ଉଦ୍ଘାଟିତ ହୋଇଛି। ଏହି ଚାରାରୋପଣ କେନ୍ଦ୍ରକୁ ବାଲିଗୁଡ଼ା ଡ଼ିଏଫଓ ବିଶ୍ୱରାଜ ପଣ୍ଡା ଉଦ୍ଘାଟିତ କରିଛନ୍ତି। ଏହି ଚାରା ବିତରଣ କେନ୍ଦ୍ରରେ ୧ ଟଙ୍କା ମୂଲ୍ୟରେ ଚାରା ବିତରଣ କରାଯାଉଛି। ଦେଢ ଲକ୍ଷରୁ ଊର୍ଦ୍ଧ୍ବ ଚାରା ବିତରଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସେଠୀ ପ୍ରକାଶ କରିଛନ୍ତି। ଏହି କ୍ରମରେ ଫୁଲବାଣୀ ବ୍ଲକ ଅର୍ନ୍ତଗତ ତୁଡ଼ିପାଜୁ ପଞ୍ଚାୟତର ଗରଡ଼ପଡ଼ା ଠାରେ ବୃକ୍ଷ ରୋପଣ କରାଯାଇଛି। ବାଲିଗୁଡ଼ା ଡ଼ିଏଫଓ ବିଶ୍ୱରାଜ ପଣ୍ଡା ପ୍ରଥମେ ଗଛ ଲଗାଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ।
୬୦ ହେକ୍ଟର ପରିଣତ ଜଙ୍ଗଲ ଜମିରେ ଚାରାରୋପଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ଔଷଧୀୟ ଓ ମୂଲ୍ୟବାନ ବୃକ୍ଷ ଏବଂ ଜଙ୍ଗଲ ଜନ୍ତୁଙ୍କ ପାଇଁ ଫଳମୂଳ ବୃକ୍ଷ ଆଦି ରୋପଣ କରାଯାଉଛି। ବିଶେଷକରି ଅଂଳା, କରଞ୍ଜ, ବାଲିସିସ୍, ପଣସ, ଜାମ୍ମୁ, ଶିରିଶ, କୁଶୁମ ଇତ୍ୟାଦି ଗଛ ଲଗାଯିବାକୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବନାଞ୍ଚଳ ଅଧିକାରୀ, ବନ ନୀରିକ୍ଷକ, ବହୁ ବନପାଳ ଓ ଗାର୍ଡ଼ ପ୍ରମୁଖ ଯୋଗଦାନ କରି ସମସ୍ତେ ବୃକ୍ଷ ରୋପଣ କରିଥିଲେ।