ଫୁଲବାଣୀ,ଏନ୍ଏନ୍ଏସ୍: ଆଜି ବୌଦ୍ଧ ଜିଲ୍ଲାର ଟାଉନହଲ ଠାରେ ଥିବା ଅଗ୍ରଣୀ ଅନୁଷ୍ଠାନ ଜ୍ଞାନପ୍ରକାଶ ଦ୍ୱାରା ରାଜ୍ୟର ବିଭିନ୍ନ ସାହିତ୍ୟିକ, ସମାଜ ସେବୀ ଓ କଳାକାର ମାନଙ୍କୁ ସେମାନଙ୍କ ପାରଦର୍ଶିତା ପାଇଁ ସମ୍ୱର୍ଦ୍ଧିତ କରାଯାଇଛି। କନ୍ଧମାଳ ତଥା ଓଡିଶାର ଜଣାଶୁଣା ସାହିତ୍ୟିକ ଡ. ନୃସିଂହାନନ୍ଦ ମହାପାତ୍ର କନ୍ଧମାଳର ସାମଗ୍ରିକ ସାହିତ୍ୟ କୃତି ପାଇଁ ପୁରସ୍କୃତ ହୋଇଛନ୍ତି। ଏହା ପୂର୍ବରୁ ସେ ଓଡ଼ିଶାର ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇସାରିଛନ୍ତି। ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହେବା ସହ ସେଗୁଡ଼ିକ ପାଠକୀୟ ଆଦୃତି ଲାଭ କରିଛି।
ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପୌରପାଳ ମୃତ୍ୟଞ୍ଜୟ ମିଶ୍ର, ଗାୟିକା ଶୈଳଭାମା ମହାପାତ୍ର, ଦେବାଶିଷ ମହାପାତ୍ର, ଲଖ୍ମିଧର ବେହେରା, ଚିତ୍ତରଞ୍ଜନ ପାଣିଗ୍ରାହୀ, ଶ୍ରବଣ ବlଗ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରିତୀପଲ ସିଂ ପାଣୁ, ରାଜେନ୍ଦ୍ର ମେହେର, ଜ୍ଞାନ ପ୍ରକାଶର ସମ୍ପାଦକ ସରୋଜ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଡ. ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରିଥିଲେ।
ଏହି ଅବସରରେ କନ୍ଧମାଳର ବରିଷ୍ଠ ଶିଶୁ ସାହିତ୍ୟିକ, ସଂଗଠକ, ନାଟ୍ୟକାର, ତଥା ମଞ୍ଚ ସଞ୍ଚାଳକ କୈଳାଶ ଚନ୍ଦ୍ର ଧଳଙ୍କୁ ତାଙ୍କର ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ସମ୍ମାନ ସନନ୍ଦ ପ୍ରଦାନ କରାଯାଇଥିଲା। ଶ୍ରୀ ଧଳ ମଧ୍ୟ ଜଣେ ଜଣାଶୁଣା ପ୍ରତିଭା। ତାଙ୍କର ଶିଶୁ ଉପଯୋଗୀ ପୁସ୍ତକ ପ୍ରକାଶିତ ହେବା ସହ ବହୁ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳରୁ କବି ପ୍ରଶାନ୍ତ ମହାପାତ୍ର, କବୟିତ୍ରୀ ବୈଜୟନ୍ତୀମାଲା ମହାପାତ୍ର , ସୁନୀତି ଆଚରି ପ୍ରଭୃତି କବିତାର ଯୋଗଦାନ ପାଇଁ ପୁରସ୍କୃତ ହୋଇଥିଲେ।