ଲକ୍ଷ୍ନୌ,ଏଜେନ୍ସି: ଆଗ୍ରା ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ କିମ୍ବା ମନ୍ଦିର ଜମି ଉପରେ ଏହି ଐତିହାସିକ ସ୍ମାରକୀ ନିର୍ମାଣ ହୋଇନାହିଁ । ଏକ ଆରଟିଆଇ ଆବେଦନ ଉପରେ ଏପରି ଜବାବ ଦେଇଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ)। ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ସେ ଦୁଇଟି ପ୍ରଶ୍ନ ପଚାରିଥିଲେ। ପ୍ରଥମତଃ ବାସ୍ତବରେ ମନ୍ଦିର ଜମିରେ ତାଜମହଲ ନିର୍ମାଣ ହୋଇଛି କି ? ଦ୍ବିତୀୟରେ, ବନ୍ଦ କଠୋରୀରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଅଛି ନା ନାହିଁ ? ଏହାର ଉତ୍ତରରେ ତାଜମହଲ ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥିବା କୌଣସି ବନ୍ଦ କୋଠରୀ ନାହିଁ ବୋଲି ଏଏସଆଇ କହିଛି।
ବିଶ୍ବ ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ନିକଟରେ ଏହି ଐତିହାସିକ ସ୍ମାରକୀ ଉପରେ ଜୟପୁରର ରାଜପରିବାର ଅଧିକାରୀ ଦାବି କରିଥିଲେ ଏବଂ ତାଙ୍କ ଜମିରେ ହିଁ ତାଜମହଲ ନିର୍ମାଣ ହୋଇଥିବା କହିଥିଲେ। ତାଜମହଲର ବନ୍ଦ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥିବା ଦାବି କରାଯାଇ ମାମଲା କାଠଗଡାରେ ପହଞ୍ଚିଥିଲା। ଗତ ମେ ୭ ତାରିଖରେ ବିଜେପିର ଅଯୋଧ୍ୟା ମିଡିଆ ଇନଚାର୍ଜ ରଜନୀଶ କୁମାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ପିଟିସନ ଦାଖଲ କରିଥିଲେ। ପିଟିସନରେ ତାଜମହଲର ୨୦ଟି କୋଠରୀ ଖୋଲିବାକୁ ଏବଂ ଏହା ଉପରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଯାଞ୍ଚ କରାଯିବାକୁ ଦାବି କରିଥିଲେ। ତାଜମହଲ ଭିତରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି। ତେଣୁ ବନ୍ଦ କୋଠରୀ ଖୋଲିଲେ ସତ ପଦାକୁ ଆସିବ ବୋଲି କୁହାଯାଇଥିଲା।
ପରବର୍ତ୍ତୀ ସମୟରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଜୁନ ୨୧ରେ ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେ ତାଜମହଲର ସତ୍ୟାସତ୍ୟ ଜାଣିବାକୁ ଆରଟିଆଇରେ ଆବଦେନ କରିଥିଲେ। ଯାହାର ଜବାବରେ ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନଥିବା କହିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ।