ଭୁବନେଶ୍ବର,ଏନ୍ଏନ୍ଏସ୍: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଯେଉଁଥିରେ ମୋଟ ବ୍ୟୟ ଅଟକଳ ମଧ୍ୟରୁ ରାଜ୍ୟସ୍ବ ସଂଗ୍ରହରୁ କେବଳ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଆସିବ। ଏହାବାଦ ଅନ୍ୟାନ୍ୟ ବାବଦରୁ ମିଳିଥିବା ୩୬ ହଜାର ୩୩ କୋଟି ଟଙ୍କା ଆସିବ ବୋଲି ସରକାର ଆକଳନ କରିଛନ୍ତି। ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟ ବଜେଟ ଗତ ୨୨ ବର୍ଷ ତୁଳନାରେ ୧୭ ପ୍ରତିଶତ ବୃଦ୍ଧି ପାଇଛି।
ତେବେ ସରକାର ଚଳିତ ବର୍ଷ ସ୍ବାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଛି ୧୨ ହଜାର ୬୨୪ କୋଟି ଟଙ୍କା। ଯାହା ପୂର୍ବ ବଜେଟ ତୁଳନାରେ ୩୮ ପ୍ରତିଶତ ଅଧିକ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନକୁ ମିଳିଛି ୨ ହଜାର ୩୨୫ କୋଟି। ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏହାବାଦ ଅନ୍ୟାନ୍ୟ ଆନୁସଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୬୫୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ।