ମୌସୁମୀ ଅଧିବେଶନ: ନୁୂପୂର ଶର୍ମା ପ୍ରସଙ୍ଗ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ, ଗୃହକୂ ବାରମ୍ବାର ମୂଲତବୀ କଲେ ବାଚସ୍ପତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଧାନସଭା ଅଧିବେଶନ ଆରମ୍ଭରୁ ଉଷ୍ଣତା ଦେଖାଦେଇଛି। ବିଜେପିର ନିଲମ୍ବିତ ମୁଖପାତ୍ର ନୁପୂର ଶର୍ମା, ପ୍ରେଫେଟ୍‌ ମୋହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଓ ଏନେଇ ଦେଶରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟ ମୁହାଁମୁହିଁ ହୋଇଥିଲେ। ସ୍ୱାଭାବିକ କରିବା ପାଇଁ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ।

ଶନିବାର କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଛି ୨୪ ଦିନିଆ ବିଧାନସଭା ମୌସୁମୀ ଅଧିବେଶନ। ପ୍ରଥମ ଥର ପାଇଁ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ କାର୍ଯ୍ୟ ପରିଚାଳନ କରିଛନ୍ତି। ପ୍ରଥମେ ଦିବଂଗତ ବିଧାୟକ ସୁରେନ୍ଦ୍ର କହଁରଙ୍କ ପାଇଁ ଶୋକ ପ୍ରସ୍ତାବ ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକାଳ ବେଶ୍ ସ୍ୱାଭାବିକ ଥିଲାବେଳେ ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୁପୂର ଶର୍ମାଙ୍କ ପ୍ରସଙ୍ଗ ଉଠାଇବାରୁ ଗୃହ ସର୍‌ଗର୍‌ମ ହୋଇଥିଲା।

ଶ୍ରୀ ମିଶ୍ର କହିଥିଲେ, ନୁପୁର୍ ଶର୍ମା ବିଜେପି ଦଳର ଥିଲେ ମୁଖପାତ୍ର। ଦଳର ଏଜେଣ୍ଡା ଅନୁସାରେ ସେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ଗତକାଲି ସୁପ୍ରିମ୍‌କୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି। ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ନରସିଂହ ମିଶ୍ର ପୁଣି ଥରେ କହିବା ବେଳେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ।

ନରସିଂହଙ୍କୁ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ପ୍ରତିବାଦ କରିଥିଲେ। ସେ କହିଥିଲେ, କଂଗ୍ରେସର ଶିରୋନାସ୍ତି ଶିରୋ ପୀଡ଼ା। ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର କ’ଣ ପଦକ୍ଷେପ ନେଇଛି ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ କଂଗ୍ରେସ ସରକାର ପଦ ଛାଡ଼ି ଚାଲିଯିବା ଉଚିତ। ଗୃହରେ ନୁପୁର ଶର୍ମା ସଦସ୍ୟ ନାହାନ୍ତି। ତାଙ୍କ ବିଷୟରେ ଆଲୋଚନା ହେବା ଉଚିତ ନୁହେଁ। ବିଜେପି ନୁପୂରଙ୍କୁ ନିଲମ୍ବନ କରିଛି ଏବଂ ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି।

କାଶ୍ମୀର ପଣ୍ଡିତ କଥା ଉଠାଇ କଂଗ୍ରେସକୁ କଡ଼ା ସମାଲୋଚନା କରି ବିଷ୍ଣୁ କହିଥିଲେ, କାଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ମିଳିବା ଦରକାର। ଏହାପରେ କଂଗ୍ରେସ ସଭ୍ୟମାନେ ଏହାକୁ ବିରୋଧ କରିଥିଲେ।
ଫଳରେ ଗୃହରେ ନିଜ ନିଜର ଆସନରେ ପ୍ରଥମେ ଛିଡ଼ା ହୋଇ ଭୟ ଦଳର ସଦସ୍ୟ ନାରାବାଜି କରିଥିଲେ। ପରେ ସଦସ୍ୟମାନେ ଗୃହ ମଝିକୁ ଯାଇ ହୋ ହାଲ୍ଲା ଓ ନାରାବାଜି କରିଥିଲେ। ଫଳରେ ଗୃହ ଚାଲିବା ସମ୍ଭବ ନ ହେବାରୁ ବାଚସ୍ପତି ଶ୍ରୀ ଆରୁଖ ୧୨ଟା ୩୫ରୁ ଅପରାହ୍ନ ୪ ଯାଏ ଗୃହକୁ ତିନି ଥର ମୁଲତବୀ କରିଥିଲେ।