ଉଦୟପୁର,ଏଜେନ୍ସି: ଉଦୟପୁରର ଟେଲର କହ୍ନେୟା ଲାଲ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପାକିସ୍ତାନର ଦାଉତ-ଏ-ଇସଲାମିରୁ ତାଲିମ ନେଇଥିବା ରାଜ୍ୟ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ ଗଣମାଧ୍ୟମରେ କହିଛନ୍ତି।
ସୂଚନା ଅନୁସାରେ ମଙ୍ଗଳବାର ଦିନ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଟେଲର କହ୍ନେୟା ଲାଲଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଭିଲଓ୍ବାରାର ରାଆଜ ଅଟାରି(୩୮) ଓ ଉଦୟପୁରର ନିବାସୀ ଗାଉସ୍ ମୋହମ୍ମଦ(୩୯)ଙ୍କୁ ଗିରଫ କରିଛି। ବିଜେପିର ପୂର୍ବତନ ମୁଖବକ୍ତା ନୂପୁର ଶର୍ମା ଯିଏକି ପ୍ରୋଫେଟ ମୋହମ୍ମଦଙ୍କ ନାମରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ବହିସ୍କୃତ ହୋଇଥିଲେ, ତାଙ୍କୁ ସମର୍ଥନ କରିବାକୁ ଯୋଗୁଁ କହ୍ନେୟାଙ୍କୁ ହତ୍ୟା କରାଯାଉଥିବା ଜଣାପଡ଼ିଛି।
ତେବେ ଏହି ଘଟଣାର ତଦନ୍ତ ଭାର ଆଜି ଏନ୍ଆଇଏକୁ ଦିଆଯାଇଛି। ଉକ୍ତ ମାମଲାର ପ୍ରାରମ୍ଭିକ ଯାଞ୍ଚରେ ରାଜସ୍ଥାନ ପୁଲିସ ଗିରଫ କରିଥିବା ୨ ଅଭିଯୁକ୍ତଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପ୍ରଭାବିତ ହେବା କଥା ସାମ୍ନାକୁ ଆସିବା ପରେ ଗୃହ ମନ୍ତ୍ରଣାଳୟ ଗତକାଲି ରାତିରେ ହିଁ ଏକ ଯାଞ୍ଚ ଦଳକୁ ଉଦୟପୁର ପଠାଇଥିଲା। ଆଜି ଏନଆଇଏ ଟିମ୍ ଯାଞ୍ଚ ପାଇଁ କହ୍ନୈୟା ଲାଲଙ୍କ ଦୋକାନରେ ପହଞ୍ଚିଥିଲା।