ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ଠାକରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଔରଙ୍ଗାବାଦ ସହରର ନାମ ‘ସଂଭାଜୀନଗର’ ରଖିବାକୁ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛି । ସେହିପରି ଅସ୍ମାବାଦ ସହରର ନାମ ‘ଧାରାଶିବ’ ରଖାଯାଇଛି । ନବୀ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ବଦଳାଇ ସ୍ୱର୍ଗୀୟ ଡିବି ପାଟିଲ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର କରିବାକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଦୀର୍ଘଦିନରୁ ଔରଙ୍ଗାବାଦ ନାମ ବଦଳାଇବାକୁ ନେଇ ଦାବି ହେଉଥିଲା । କ୍ୟାବିନେଟ ବୈଠକ ସମୟରେ ଅନେକ ମନ୍ତ୍ରୀ ନାମ ପରିବର୍ତ୍ତନ କରିବାକୁ ନେଇ ଆପତ୍ତି ଜାହିର କରିଥିଲେ । ମହାରାଷ୍ଟ୍ର ସରକାର ଏହି ସମୟରେ ଏମିତି ପଦକ୍ଷେପ ନେଇଛନ୍ତି ଯେଉଁ ସମୟରେ ରାଜ୍ୟପାଳ ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ କହିଥିଲେ । କିନ୍ତୁ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ଶିବସେନା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ଯଦି ସୁପ୍ରିମକୋର୍ଟଙ୍କ ଫଇସଲା ଉଦ୍ଧବ ଠାକରେଙ୍କ ସପକ୍ଷରେ ନଆସେ ତେବେ ତାଙ୍କୁ ଶାସନ ଗାଦି ଛାଡ଼ିବାକୁ ପଡ଼ିବ ।