ରକ୍ତ ଦେଇ ଶିଶୁ ଟିର ଜୀବନ ବଞ୍ଚାଇଲେ ୧୨୭ ବାଟାଲିଆନ୍

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି, ଭଳି ଦୁର୍ଗମ ଅଞ୍ଚଳରୁ ରୋଗୀ ନିତିଦିନ ଚିକିତ୍ସା ପାଇଁ ଆସିଥାନ୍ତି। ଚିକିତ୍ସାଳୟରେ ଡାକ୍ତର ଅଭାବ ସହ ଅଲ୍ଟ୍ରାସାଉଣ୍ଡ ମେସିନ୍, ରକ୍ତଭଣ୍ଡାର ଥାଇ ମଧ୍ୟ ଏହା ରୋଗୀ ସେବାରେ ଲାଗୁନାହିଁ। ତେବେ ଆଜି କୋଟଗଡ଼ ବ୍ଲକ୍‌ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏକ ଗରିବ ପରିବାର ନିଜ ୧୦ ବର୍ଷ ବୟସର ଝିଅ ମନୀଷା ମଣ୍ଡଳର ଦେହ ଅସୁସ୍ଥ ଥିବା ଯୋଗୁଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଝିଅ ସିକ୍ ଲିନ୍ ରୋଗରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ହଠାତ୍ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିବା ସହିତ ରକ୍ତର ଆବଶ୍ୟକ ପଡ଼ିଥିଲା। ଫଳରେ ଗରିବ ପରିବାର ଲୋକେ ରକ୍ତ ନପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହି ସମୟରେ ଦେବଦୂତ ସାଜି ବାଲିଗୁଡ଼ା ୧୨୭ ବାଟାଲିଆନ୍ କନେଷ୍ଟବଳ ପୀୟୁଷ କଲଟିଆ ଚିକିତ୍ସାଳୟରେ ପହଞ୍ଚି ବି ପଜିଟିଭ୍ ରକ୍ତ ଦାନ କରିଥିଲେ। ଏହା ଫଳରେ ଛୋଟ ଶିଶୁଟି ନୂଆ ଜୀବନ ପାଇଛି। ଯବାନଙ୍କ ଏଭଳି ମହାନତାକୁ ଅଞ୍ଛଳବାସୀ ପ୍ରଶଂସା କରିଛନ୍ତି।