ନୂଆ କୀର୍ତ୍ତିମାନ ସ୍ଥାପନ କଲେ କାନ୍ହୁ ଭୋଇ, ଆଙ୍ଗୁଠିରେ ଛତାକୁ ଛିଡ଼ା କରି ହାସିଲ କଲେ ଗିନିଜ ୱାର୍ଲଡ ରେକର୍ଡ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ସହର ସ୍ଥିତ ପୌରପରିଷଦ କଲ୍ୟାଣ ମଣ୍ଡପରେ କରାଟେ ଆସୋସିଏସନ ତରଫରୁ ଆୟୋଜିତ ଗିନିସ ୱାର୍ଲଡ ରେକର୍ଡ ପାଇ ହୋଇଥିବା ପ୍ରୟାସରେ ପୂର୍ବ ରେକର୍ଡକୁ ଭାଙ୍ଗିବା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଟିଟିଲାଗଡ଼ ବ୍ଲକ୍‌ ଅଧିନସ୍ଥ କୁରସୁଡ଼ ଗ୍ରାମପଞ୍ଚାୟତର କୁନ୍ଦ୍ରା ଗାଁ’ର କାହ୍ନୁ ଭୋଇ। ନିଜ ଡାହାଣ ହାତର ଗୋଟିଏ ଆଙ୍ଗୁଠିରେ ଦୀର୍ଘ ୬ଘଣ୍ଟା ୬ ମିନିଟ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଛତା କୁ ସନ୍ତୁଳନ ରଖି ଛିଡା ରଖି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପୂର୍ବରୁ ହାତର ଗୋଟିଏ ଆଙ୍ଗୁଠିରେ ଛତାକୁ ୩ ଘଣ୍ଟା ୩୨ ସେକେଣ୍ଡ ରଖି ସ୍ପେନର ରୋବୋଟ୍‌ ଲୋପେଜ ରୋଡ଼ରୀଗୁଏସଙ୍କ ନାମରେ ରହିଛି। ଏହି ରେକର୍ଡକୁ ଭାଙ୍ଗିବା ସହ ଏକ ନୃତନ ରେକର୍ଡ ପ୍ରତିଷ୍ଠା କରିବା ପାଇଁ ଦୃଢ ମନୋବଳ ନେଇ କାନ୍ହୁ ଭୋଇ ଆଜି ଏହି ପ୍ରୟାସ ଆରମ୍ଭ କରିବା ସହ ପୂର୍ବର ରେକର୍ଡକୁ ଅତିକ୍ରମ କରି ଆହୁରି ତିନି ଘଣ୍ଟା ଅଧିକ ସମୟ ପର୍ଯ୍ୟନ୍ତ ରଖିଥିଲେ।

ଆଜି ସକାଳ ୧୨ଟା ୫ ମିନିଟରୁ ଆରମ୍ଭ କରି ସନ୍ଧ୍ୟା ୬ ଘଣ୍ଟା ୧୧ ମିନିଟ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏକ ଲୟରେ ଛତାକୁ ଆଙ୍ଗୁଠିରେ ରଖି ନିଜ ଏକାଗ୍ରତାର ପରିଚୟ ଦେଇଛନ୍ତି। ଏହି ରେକର୍ଡକୁ ପରିଚାଳନା କରିଥିଲେ ରେଫରୀ ତଥା ଜଜ୍ ମାନଙ୍କ ମଧ୍ୟରେ ଡିଆର୍‌ ସତ୍ୟପିର ପ୍ରଧାନ, ଅଭିଜିତ ଦାଶ, ବୈଷ୍ଣବ କବାଟ, ରାଜେଶ ସ୍ୱାଇଁ, ଦିଲୀପ କୁମାର ତ୍ରିପାଠୀ, ଦେବେନ୍ଦ୍ର ଜୈନ, ରୋଶନ କୁମାର ସୌରା, କେଦାର କବାଟ, ଜିତେନ୍ଦ୍ର ପୃଷ୍ଟି, ଲୋକ ରଞ୍ଜନ ମାଝୀ ପ୍ରମୁଖ ରହିଥିବା ବେଳେ ସନ୍ଧ୍ୟା ସମୟରେ ଟିଟିଲାଗଡ଼ ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁକେଶ ଜୈନ, ନରସିଂହ ସିଂ, ନବୀନ ଜୈନ ସମେତ କୁରସୁଡ଼ ସରପଞ୍ଚଙ୍କ ପ୍ରତିନିଧି ପ୍ରମୁଖ କାନ୍ହୁ ଭୋଇଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।