ନାମାଙ୍କନ ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣ, ନିର୍ବାଚନ ଅଧିକାରୀ ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଛେପଲିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଙ୍ଗନଳ ସେବା ସମବାୟ ସମିତି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣରେ ଦାୟିତ୍ୱରେ ଥିବା ପିଇଓ ଗୁରୁତର ହୋଇଛନ୍ତି । ଏଥିସହିତ ଦୁର୍ବୁତ୍ତମାନେ ନାମାଙ୍କନ ପତ୍ର ଚିରି ଫିଙ୍ଗି ଦେଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି ।ମିଳିଥିବା ରିପୋର୍ଟ ମୁତାବକ, ଆଜି ଗାଙ୍ଗନଳ ସେବା ସମବାୟ ସମିତିର ସଭାପତି ପଦ ପାଇଁ ନାମାଙ୍କନ ଚାଲିଥିବାବେଳେ ପ୍ରାର୍ଥୀ ଭାବେ ପଞ୍ଚାନନ ସ୍ୱାଇଁ ପହଞ୍ଚିଥିଲେ । ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଧନେଶ୍ୱର ଶବର ଓ ତପନ କୁମାର ପ୍ରଧାନ ସେଠାକୁ ଆସି ପଞ୍ଚାନନଙ୍କ ନାମାଙ୍କନ ପତ୍ର ଛଡ଼ାଇ ନେଇ ଚିରି ଦେଇଥିଲେ । ସେଠାରେ ନିର୍ବାଚନ ଦାୟିତ୍ୱରେ ଥିବା ପିଇଓ ପ୍ରଦୀପ କୁମାର ବେହେରା ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ପିଇଓ ଶ୍ରୀ ବେହେରା ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ସହ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।