ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଜାତୀୟ ରାଜପଥ ୨୬ ବରଗାଁ ଲାନ୍ଥ ନଦୀ ବ୍ରିଜରେ ଆଜି ଜଣେ ଯୁବକର ମୃତ୍ୟୁ ହୋଇଛି। ସୂଚନା ମତେ ଯୁବକ ଜଣକ ସଇଁନ୍ତଲା ପଟରୁ ହିରୋ ଏଚ୍ଏଫ୍ ଡିଲକ୍ସ(ଓଡ଼ି-୦୩-ସି-୦୨୨୬)ରେ ବରଗାଁ’କୁ ଯାଉଥିଲେ। ସେହି ସମୟରେ ଏକ ଚାରି ଚକିଆ ଗାଡି ଧକ୍କା ଦେବାରୁ ଯୁବକ ଜଣକ ଗୁରୁତର ହୋଇଥିଲେ। ଫଳରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କିଛି ମାସ ତଳେ ଏହି ବ୍ରିଜ୍ଟି ମରାମତି କରାଯାଇଥିଲା। ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ବ୍ରିଜର ଲୁହା ଏଙ୍ଗଲ ଗୁଡିଓ ବାହାରି ପଡିଛି। ଫଳରେ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଯୁବକ ଜଣଙ୍କ ହେଉଛନ୍ତି ମାକ୍ରି ଗାଁର ଲୋଚନ ଭୋଇ। ଘଟଣା ସମ୍ପର୍କରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।