ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଆକାଉଣ୍ଟାଣ୍ଟ ଫେରାର ଘଟଣା ପରେ ବିଭାଗ ତଫରୁ ସ୍ୱତନ୍ତ୍ର ଅଡିଟ ଆରମ୍ଭ କରାଯାଇଛି । ଏନେଇ ଦେବଗଡ଼ ଥାନାରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୌର ପରିଷଦ ପକ୍ଷରୁ ଦେବଗଡ଼ ଥାନାରେ ଆକାଉଣ୍ଟାଣ୍ଟ ବିନୋଦ ନାଗଙ୍କ ନାମରେ ଲିଖିତ ଅଭିଯୋଗର ୧୨ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଫେରାର ଥିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ବିଭାଗୀୟ ଅଡିଟ ଆରମ୍ଭ କରାଯାଇଛି । ଜଗ ମୁଣ୍ଡାଙ୍କ ବକେୟା ଅର୍ଥ ହଡ଼ପ ପରେ ମଧ୍ୟ ବିଭିନ୍ନ ଯୋଜନାର ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହିସାବ ମିଳୁନଥିବା ପ୍ରାଥମିକ ତଦନ୍ତରେ ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ପୁଲିସକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ବିଭାଗୀୟ ଅଡିଟ ପାଇଁ ଭୁବନେଶ୍ୱରରୁ ଅଡିଟର ଭାବେ ଦିଗାମ୍ବର ମହାପାତ୍ର ଓ ସହକାରୀ ଅଡିଟ ଅଫିସର ଭାବେ ଫକୀର ମୋହନ କିସାନ ଗତ ୫ ବର୍ଷର ହିସାବ ୧୫ ଦିନିଆ ଅଡିଟ କରି ବିଭାଗକୁ ରିପୋର୍ଟ ପ୍ରଦାନ ପାଇଁ ଦେବଗଡ଼ ଆସିଥିବା ଜଣାପଡ଼ିଛି । ଅଡିଟରେ ପୌର ପରିଷଦର ଅନିୟମିତତାକୁ ଲୁଚାଇବା ପାଇଁ ପୌର ପରିଷଦ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଥିବା ବିଭାଗୀୟ କର୍ମଚାରୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଅଡିଟ ପାଇଁ ଆସିଥିବା ଅଡିଟରଙ୍କୁ ଆତିଥ୍ୟତା ପ୍ରଦାନ ପାଇଁ ଦେବଗଡ଼ ପୌରପରିଷଦ ପକ୍ଷରୁ ପୌର ଡାକ ବଙ୍ଗଳାର ଏକ କୋଠରୀକୁ ଶୀତତାପ ନିୟନ୍ତ୍ରିତ କରାଯାଇ ସେମାନଙ୍କ ଖାଇବା ପାଇଁ ରୋଷେୟାର ବ୍ୟବସ୍ଥା କରାଯିବା ଅଡିଟରଙ୍କ ତଦନ୍ତର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ଦେବଗଡ଼ ପୌର ପରିଷଦରେ ଚାଲିଥିବା ମହା ଘୋଟଲା ତଦନ୍ତ ଆଳରେ ଶିଥିଳ ହେବାକୁ ବସିଛି । ତେବେ ଏହି ଘଟଣାରେ କେବଳ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ବିନୋଦ ନାଗ ନା ଆଉ କେହି ସାମିଲ ଅଛନ୍ତି ସେନେଇ ପୁଲିସ ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ପୌର ପରିଷଦରେ ଚାଲିଥିବା ଦୁର୍ନୀତିର ଲମ୍ବା ତାଲିକା ବାହାରିବା ନେଇ ଆଶଙ୍କା ପ୍ରକାଶ ପାଇଛି ।