ପ୍ରାକ ମୌସୁମି ବର୍ଷା ପ୍ରଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଳମଗ୍ନ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସାମାନ୍ୟ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେହାଲ ହୋଇଯାଇଛି । ପ୍ରାକ ମୌସୁମି ଯୋଗୁ ପ୍ରବଳ ବର୍ଷା ହେବାରୁ ଡାକ୍ତରଖାନା ଭିତରେ ପାଣି ପଶି ରୋଗୀ ହନ୍ତସନ୍ତ ହୋଇଛନ୍ତି । ରୋଗୀଙ୍କୁ ନେବା ଅଣିବାରେ ଅସୁବିଧା ହେଉଥିବାବେଳେ ଚିକିତ୍ସାଳୟର କର୍ମଚାରୀମାନେ ବିଭିନ୍ନ ୱାର୍ଡକୁ ଯିବା ଆସିବା କରିବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ତତଲାଗଡ଼ ପାଲଟିଥିବା ସୁବର୍ଣ୍ଣପୁର ଜିଲ୍ଲା ମୌସୁମିର ଆଗମନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ବର୍ଷା ଜଳ ନିଷ୍କାସନ ପାଇଁ ଠିକ ବ୍ୟବସ୍ଥା ନଥିବାରୁ ମୁଖ୍ୟ ଚିକିତ୍ସାଳୟ ଭିତରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଡାକ୍ତରଖାନା ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ସାମାନ୍ୟ ବର୍ଷାରେ ପାଣି ପଶୁଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏନେଇ ସିଡିଏମଓ ଡା. ବିଶ୍ୱରଞ୍ଜନ ପତିଙ୍କୁ ପଚାରିବାରୁ ମୁଁ ନୂଆ ଆସିଛି କ’ଣ ପାଇଁ ପାଣି ପଶୁଛି ଦେଖିଲା ପରେ ସମାଧାନ କରାଯିବ ବୋଲି କହିଛନ୍ତି ।