ସମବାୟ ସମିତି ୪୩୫ ନିର୍ଦ୍ଦେଶକ ପଦବୀ ମଧ୍ୟରୁ ୨୧୦ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ୩୩ ପାଇଁ ଆଜି ହେଲା ଭୋଟ ଗ୍ରହଣ, ଅବଶିଷ୍ଟ ପାଇଁ ୨୬ରେ ମତଦାନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ରହିଥିବା ୨୯ଟି ସେବା ସମବାୟ ସମିତିର ୪୩୫ ନିର୍ଦ୍ଦେଶକ ପଦ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ବାରକୋଟ ବ୍ଲକର ଗୁରୁସଙ୍ଗ, କଲା, ଦଣ୍ଡାସିଂହା, ବସାଲୋଇ ଓ କଣ୍ଟାପାଲି ଏବଂ ତିଳେଇବଣି ବ୍ଲକର ସୁଗୁଡା, ଗାଙ୍ଗନଳ, କଂସର, ଦୁଧିଆନାଳୀ ଓ ଲାଇମୁରା ୧୦ ଟି ସେବା ସମବାୟ ସମିତିର ୩୩ ଟି ନିର୍ଦ୍ଦେଶକ ପଦବୀ ପାଇଁ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ ତଥା ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ପଦ୍ମଲୋଚନ ବେହେରାଙ୍କ ତଦାରଖରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ଦ୍ଵିତୀୟ ପର୍ଯ୍ୟାୟରେ ରିଆମାଳ ବ୍ଲକର ପଲସମା, ବୁଢାପାଳ, ତାରଙ୍ଗ, ନାଉଳିପଡା ଓ ତାବଡା ଆଦି ୫ଟି ସେବା ସମବାୟ ସମିତି ନିର୍ବାଚନ ଆସନ୍ତା ୨୬ ତାରିଖ ଦିନ ଅନୁଷ୍ଠିତ ହେବ। ପୂର୍ବରୁ ୩ଟି ବ୍ଲକର ମୋଟ ୧୪ଟି ସମବାୟ ସମିତିରୁ ୨୧୦ ନିର୍ଦ୍ଦେଶକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବାରକୋଟ ବ୍ଲକର ୧୧ ସେବା ସମବାୟ ସମିତି ମଧ୍ୟରୁ ରାଇତାବାହାଳ, ସିଂଶାଳ, ଦଂରା, ଖଜୁରୀଖମାଣ, କାଦପଡ଼ା ଓ କଂଢଲ ସେବା ସମବାୟ ସମିତିରେ ନିର୍ଦ୍ଦେଶକ ପଦବୀ ନିର୍ଦ୍ୱନ୍ଦ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଗୁରୁସଙ୍ଗ, କଲା, ଦଣ୍ଡାସିଂହା, ବସାଲୋଇ ଓ କଣ୍ଟାପାଲି ସେବା ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସେହିପରି ତିଳେଇବଣି ବ୍ଲକର ୮ଟି ସେବା ସମବାୟ ସମିତିରୁ ଟାଇଁସର, ଝରାଗୋଗୁଆ ଓ କେନ୍ଦେଇଜୁରୀ ସେବା ସମବାୟ ସମିତିର ନିର୍ଦ୍ଦେଶକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଆଜି ସୁଗୁଡା, ଗାଙ୍ଗନଳ, କଂସର, ଦୁଧିଆନାଳୀ ଓ ଲାଇମୁରା ସେବା ସମବାୟ ସମିତି ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହିପରି ରିଆମାଳ ବ୍ଲକର ୧୦ ସେବା ସମବାୟ ସମିତି ନିର୍ଦ୍ଦେଶକ ପଦ ପାଇଁ ଚଡେଇମରା, କୁଣ୍ଢେଇଗୋଳା, ନୂଆଡିହ, ଟିଙ୍କବୀର ଓ ରିଆମାଳ ସେବା ସମବାୟ ସମିତି ପାଇଁ ନିର୍ଦ୍ଦେଶକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସରିଥିବା ବେଳେ ବଳକା ୫ ସେବା ସମବାୟ ସମିତି ପଲସମା, ବୁଢ଼ାପାଳ, ତାରଙ୍ଗ, ନାଉଲିପଡ଼ା ଓ ତାବଡାର ନିର୍ଦ୍ଦେଶକ ପଦ ପାଇଁ ଆଗାମୀ ୨୬ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସବ୍‌ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ନିମାଇଁ ନାୟକ ସୂଚନା ଦେଇଛନ୍ତି।