ଟିଟିଲାଗଡ଼,ଏନ୍ଏନ୍ଏସ୍: ଟିଟିଲାଗଡ଼ ସହରରେ ଦିନକୁଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ଏହି ଲୁଟେରା ଗ୍ୟାଙ୍ଗ ସହର ମଧ୍ୟରେ ଥିବା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟି ନେଉଥିବା ଘଟଣା ସହର ମଧ୍ୟରେ କ୍ରମାଗତ ଭାବେ ଦେଖିବାକୁ ମିଳୁଛି । ନିୟମିତ ଅନ୍ତରାଳରେ ସହର ମଧ୍ୟରେ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ପୁଲିସ ପ୍ରଶାସନ ଏମାନଙ୍କୁ ଠାବ କରିବାରେ ବିଫଳ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ପୁଣି ଏକ ଘଟଣାର ପୁନରାବୃତ୍ତି ହୋଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ନେତ୍ରାନନ୍ଦ ବେହେରା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୯୦ହଜାର ଟଙ୍କା ଉଠାଇ ଷ୍ଟେସନ ରାସ୍ତାରେ ଥିବା ଏ ୱାନ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ । ହୋଟେଲ ପହଞ୍ଚି ବାଇକରୁ ଓହ୍ଲାଇ ଗୋଟିଏ ହାତରେ ହେଲମେଟ ଓ ଅନ୍ୟ ହାତରେ ଟଙ୍କା ଥିବା ବ୍ୟାଗ ଧରି ହୋଟେଲ ମଧ୍ୟକୁ ଯାଉଥିବା ସମୟରେ ଏକ କଳା ପଲସର ବାଇକ ଯୋଗେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗ୍ ଛଡ଼ାଇ ଫେରାର ମାରିଥିଲେ । ଘଟଣାସ୍ଥଳରେ ସେ ଚିତ୍କାର କରିଥିଲେ ମଧ୍ୟ ସ୍ଥାନୀୟ କିଛି ଯୁବକ ଉକ୍ତ ଦୁର୍ବୃତ୍ତଙ୍କ ପିଛା କରି ନିରାଶ ହୋଇଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଅନୁସନ୍ଧାନ ଚଲାଇଥିବା ବେଳେ ବାରମ୍ବାର ସହର ମଧ୍ୟରେ ଦିନ ଦ୍ୱିପହରରେ ଏଭଳି ଘଟଣାର ପୁନରାବୃତ୍ତି ହେବା ଅପରାଧୀଙ୍କ ପୁଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି ।