ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପ୍ରଧାନପାଟ ଜଳପ୍ରପାତ ପାଦ ଦେଶରେ ମୋଦୀ ସରକାରଙ୍କ ୨ୟ ପାଳିର ୩ୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲା ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ରାଜ ପରିବାର ସଦସ୍ୟ ରୋହିତ ଗଙ୍ଗଦେବ ଓ ବିଜେପିର ପରାଜିତ ପୌରାଧ୍ୟକ୍ଷା ପ୍ରାର୍ଥୀ ମାଧବୀ ଦେବୀଙ୍କ ଉପସ୍ଥିତିରେ ଜଙ୍ଗଲ ଏବଂ ପରିବେଶ ଆଇନର ଖୋଲା ଉଲ୍ଲଂଘନ କରାଯାଇ ରାଜନୈତିକ ସମାବେଶ କରାଯାଇଛି । ଅନ୍ୟପଟେ ଦେବଗଡ଼ ଜିଲ୍ଲାରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ଜନସାଧାରଣ ନୀତିଦିନ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସ୍ଥାନୀୟ ପ୍ରଶାସନ, ଜଙ୍ଗଲ ବିଭାଗ ଓ ବିଭିନ୍ନ ଅନୁଷ୍ଠାନର ସମ୍ମତିରେ ପ୍ରଧାନପାଟଠାରେ ରନ୍ଧା ଖାଦ୍ୟ ଏଣେତେଣେ ନ ଫିଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ସେସବୁକୁ ଅଣଦେଖା କରି ଉପସ୍ଥିତ ଦଳୀୟ କର୍ମୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଖାଦ୍ୟ କରାଯାଇଥିଲା । ଦେବଗଡ଼ ସହରରେ ସଭା ସମିତି ପାଇଁ ଅନେକ କଲ୍ୟାଣ ମଣ୍ଡପ ଓ ଖୋଲା ପଡ଼ିଆ ରହିଥିଲେ ମଧ୍ୟ ଜଙ୍ଗଲ ଆଇନକୁ ଫୁ କରି ବିଜେପିର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳୀୟ ରାଜନୈତିକ ସମାବେଶ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ଅନ୍ୟପଟେ ଏହି ରାଜନୈତିକ ସମାବେଶ ପାଇଁ ଜଙ୍ଗଲ ବିଭାଗ କିମ୍ବା ପୌର କର୍ତ୍ତୃପକ୍ଷଙ୍କଠାରୁ କୌଣସି ଅନୁମତି ନିଆଯାଇ ନଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।