ନୟାଗଡ଼,ଏନ୍ଏନ୍ଏସ୍: ବ୍ରିଜ ଉପରୁ ଖସି ଫାଟିଲା ତେଲ ଟ୍ୟାଙ୍କର। ବିସ୍ଫୋରଣରେ ୪ ଜଣ ଜୀବନ୍ତ ଦଗ୍ଧ। ନୟାଗଡ ବଡପଣ୍ଡୁସର ବ୍ରିଜ ତଳକୁ ଏହି ତେଲ ଟ୍ୟାଙ୍କରଟି ଖସି ପଡିଛି। ଏଥିରେ ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ରହିଛି। ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ସ୍ଥାନୀୟ ଯୁବକ ରହିଛନ୍ତି। ଟ୍ୟାଙ୍କର ବିସ୍ଫୋରଣ ଦେଖି ଉଦ୍ଧାର କରିବାକୁ ଯାଇଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ରାତି ପ୍ରାୟ ୧.୪୫ ସମୟରେ ଏହି ଅଘଟଣ ଘଟିଛି। ପାରାଦୀପରୁ ଡିଜେଲ ନେଇ ଆସୁଥିବା ଏକ ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା। ଟ୍ୟାଙ୍କର ଖସି ପଡିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଦେଖି ୩ ଜଣ ସ୍ଥାନୀୟ ଯୁବକ ଘଟଣାସ୍ଥଳକୁ ଯାଇଥିବା ବେଳେ ବିସ୍ଫୋରଣରୁ ଉଦ୍ଧାର କରିବାକୁ ଯାଇଥିବା ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି।
ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଚାରି ମୃତକଙ୍କ ନାମ ହେଲା ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ। ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦମକଳବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।