ପାଟନା,ଏଜେନ୍ସି: ବିହାରର ପୂର୍ଣ୍ଣିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଦ୍ରୁତଗାମୀ ସ୍କର୍ପିଓ ଭାରସାମ୍ୟ ହରାଇ ଖାଲରେ ଓଲଟି ପଡିବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗାଡିଟି ଅନଗଡରୁ କିଶନଗଞ୍ଜ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଗାଡିରେ ମୋଟ ୧୦ ଜଣ ଯାତ୍ରୀ ଥିଲେ। ବାକି ଦୁଇ ଜଣ କୌଣସି ମତେ ଗାଡିରୁ ବାହାରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଗାଡି ଭିତରୁ ବାହାର କରିଛନ୍ତି। ଖବରପାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି।
ସୂଚନା ଅନୁଯାୟୀ, ସ୍କର୍ପିଓରେ ଥିବା ସମସ୍ତ ଯାତ୍ରୀ ବିବାହ ପ୍ରସ୍ତାବ ପାଇଁ ଅନଗଡ ଯାଇଥିଲେ। ସେଠାରେ ବିବାହ ସ୍ଥିର କରି ନିଜ ଗାଁକୁ ଫେରୁଥିଲେ। ହେଲେ ବାଟରେ ଗାଡିଟି ହଠାତ୍ ଭାରସାମ୍ୟ ହରାଇ ଏକ ପାଣି ଭର୍ତ୍ତି ଖାଲ ମଧ୍ୟରେ ଓଲଟି ପଡିଥିଲା। ଯେଉଁ କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।