ନୂଆଦିଲ୍ଲୀ,ଏଜେନ୍ସି: ଆଜି ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଭୋଟଗ୍ରହଣ ପରେ ଏହାର ଫଳାଫଳ ସନ୍ଧ୍ୟା ପର୍ଯ୍ୟନ୍ତ ଆସିଯିବ । ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଗୋଟିଏ ଗୋଟିଏ ଭୋଟ ପାଇଁ କ୍ରିକେଟର ଟି-୨୦ ଭଳି ମୁକାବିଲା ହେବାକୁ ଯାଉଛି । ଏହି ସବୁ ରାଜ୍ୟରେ ରାଜନୈତିକ ଦଳମାନେ ନିଜ ନିଜ ବିଧାୟକମାନଙ୍କୁ ହୋଟେଲ ଅଥବା ଅନ୍ୟ ସୁରକ୍ଷିତ ସ୍ଥାନରେ ରଖିଛନ୍ତି ।
ହରିୟାଣା କଂଗ୍ରେସର ସମସ୍ତ ବିଧାୟକ ଛତିଶଗଡ଼ ପହଞ୍ଚିଥିଲେ, ଏହା ପରେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ନିଆଯାଇଥିଲା । ବିଜେପି-ଜେଜେପି ସମସ୍ତ ବିଧାୟକଙ୍କୁ ଚଣ୍ଡୀଗଡ଼ ରିସର୍ଟରେ ରଖିଛି । ରାଜସ୍ଥାନର ବିଧାୟକମାନେ ଉଦୟପୁରସ୍ଥିତ ଏକ ହୋଟେଲରେ ଅଟକିଥିଲେ । ପରେ ସେମାନଙ୍କୁ ଅଶୋକ ଗହଲୋତଙ୍କ ହେପାଜତରେ ଜୟପୁର ନିଆଯାଇଥିଲା । ମହାରାଷ୍ଟ୍ରରେ ମହାବିକାଶ ଅଘାଡୀ ଓ ବିଜେପି ବିଧାୟକଙ୍କୁ ହୋଟେଲରେ ରଖାଯାଇଛି ।
ଆଜିର ରାଜ୍ୟସଭା ନିର୍ବାଚନରେ ପୀୟୁଷ ଗୋୟଲ, ନିର୍ମଳା ସୀତାରମଣ, କଂଗ୍ରେସ ନେତା ଜୟରାମ ରମେଶ, ରଣଦୀପ ସୁରଜେୱାଲା, ଅଜୟ ମାକନ, ସଂଜୟ ରାଉତ ଓ ଏନସିପିର ପ୍ରଫୁଲ ପଟେଲ ଭଳି ନେତାମାନେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ୧୬ ଆସନ ପାଇଁ ନେତାମାନେ ନିଜ ନିଜ ହିସାବରେ ଗଣିତ କରୁଛନ୍ତି ।