ନୂଆପଡ଼ା,ଏନ୍ଏନ୍ଏସ୍: ସିନାପାଲିଠାରେ ହେବାକୁ ଥିବା ବିରଳ ୨୫୧ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ସୋପାନରେ ବୁଧବାର ଶାନ୍ତିକୁଞ୍ଜ ହରିଦ୍ୱାରଠାରୁ ପବିତ୍ର ଶକ୍ତି କଳସ ଆସି ପହଂଚିଛି । ସ୍ଥାନୀୟ କାପସି ଛକଠାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶକ୍ତି କଳସକୁ ଦର୍ଶନ କରିବା ସହ ସ୍ୱାଗତ କରିଥିଲେ । ପରେ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଭଜନ କୀର୍ତ୍ତନ ଓ ହୁଳହୁଳି ସହ ସିନାପାଲି ନଗର ପରିକ୍ରମା କରାଯାଇ ଶେଷରେ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠରେ ଶକ୍ତି କଳସ ସ୍ଥାପିତ କରାଯାଇଛି । ଶୋଭାଯାତ୍ରା ସମୟରେ ସହରର ସ୍ଥାନେ ସ୍ଥାନେ ଶକ୍ତି କଳସକୁ ବନ୍ଦାପନା କରାଯାଇଥିଲା । ମିଳିଥିବା ରିପୋର୍ଟ ମୁତାବକ, ମହାଯଜ୍ଞ ନିମନ୍ତେ ଶକ୍ତି କଳସ ଆଣିବାକୁ ଗତ ୩୧ ତାରିଖରେ ସିନାପାଲି ଗାୟତ୍ରୀ ଶକ୍ତିପୀଠ ତତ୍ତ୍ୱାବଧାନରେ ୨ଶହ ଜଣିଆ ଏକ ଶ୍ରଦ୍ଧାଳୁ ଦଳ ଶାନ୍ତିକୁଞ୍ଜ ହରିଦ୍ୱାର ଯାଇଥିଲେ । ଏହି ଦଳରେ ଗାୟତ୍ରୀ ପରିବାରର ସଦସ୍ୟଙ୍କ ସହ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ସାମିଲ ଥିଲେ । ଏହି ଦଳ ତପୋଭୂମୀ ମଥୁରା, ବୃନ୍ଦାବନ, ଆଁବଳଖେଡ଼ା ଆଦି ପବିତ୍ର ସ୍ଥଳ ଯାଇ ସେଠାକାର ନିତ୍ୟଯଜ୍ଞ, ଅଗଣ୍ଡ ଦୀପ ଦର୍ଶନ, ତର୍ପଣ, ପିଣ୍ଡଦାନ, ସଜଳ ଶ୍ରଦ୍ଧା, ପ୍ରଖର ଯଜ୍ଞରେ ଜପ ଧ୍ୟାନ ଓ ଗଙ୍ଗାସ୍ନାନ ଆଦି ପବିତ୍ର ରୀତିନୀତି ପରେ ଶ୍ରଦ୍ଧେୟ ଶୈଳବାଳା ପାଣ୍ଡଯାଜୀଙ୍କ ହାତରୁ ଶକ୍ତି କଳସ ଗ୍ରହଣ କରିଥିଲେ । ଏଥିସହ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଚିନ୍ମୟ ପାଣ୍ଡଯାଜୀଙ୍କଠାରୁ ଯଜ୍ଞ ନିମନ୍ତେ ମାର୍ଗଦର୍ଶନ ଲାଭ କରିଥିଲେ । ଶକ୍ତି କଳସକୁ ରାସ୍ତାରେ ଅନେକ ସ୍ଥାନରେ ସ୍ୱାଗତ କରାଯାଇଥିବାବେଳେ କଣ୍ଟାବାଞ୍ଜି ଓ ଖଡ଼ିଆଳଠାରେ ସେଠାକାର ଶ୍ରଦ୍ଧାଳୁଙ୍କ ମାଧ୍ୟମରେ ନଗର ପରିକ୍ରମା କରାଯାଇ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା । ଗତକାଲି ଶକ୍ତି କଳସ ସିନାପାଲି ପହଞ୍ଚିବା ପରେ ଆସନ୍ତା ଜାନୁୟାରୀରେ ହେବାକୁ ଥିବା ଏହି ମହାଯଜ୍ଞ ନିମନ୍ତେ ଅଞ୍ଚଳରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି ।