ପୌର ପରିଷଦ ଓ ଟାଟା ପାୱାରର ଅବହେଳାକୁ ନେଇ ଜନ ଅସନ୍ତୋଷ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପୌର ପରିଷଦ ଓ ଟାଟା ପାୱାର ପକ୍ଷରୁ ଜନ ସେବାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ଦେବଗଡ଼ ପୌରାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପରେ ଗଛ ପଡ଼ିବା ଫଳରେ ଆଜିକୁ ୪ଦିନ ହେବ ରାସ୍ତା ଅବରୋଧ ହୋଇ ପଡ଼ି ରହିଛି । ମାତ୍ର ରାସ୍ତା ଉପରୁ ଗଛ କାଟିବା ପରିବର୍ତ୍ତେ ଏହାକୁ ଅଣଦେଖା କରାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ଗତ ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଝଡ଼ ତୋଫାନରେ ଡିପିସି କାର୍ଯ୍ୟାଳୟରୁ ରଥ ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ଉପରେ ଗୋଟିଏ ଗଛ ଭାଙ୍ଗି ୨ଟି ବିଦ୍ୟୁତ ଖମ୍ବ ଭାଙ୍ଗି ତା’ର ଛିଣ୍ଡି ଯାଇଥିଲା । ଟାଟା ପାୱାର କର୍ମଚାରୀଙ୍କ ପାଖରେ ଏଭଳି ଗଛକୁ କାଟିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ୧୧୨ ନଂରେ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିବା ପରେ ସୋମବାର ଅଗ୍ନିଶମ ବିଭାଗ ଆସି ଗଛକୁ ଖଣ୍ଡ-ଖଣ୍ଡ କରି କାଟିଥିଲେ । କିନ୍ତୁ ତାଙ୍କ ପାଖରେ ଏତେ ବଡ଼ ଗଛ ଗଣ୍ଡି ସବୁକୁ ହଟାଇବା ପାଇଁ କୌଣସି ବ୍ୟବସ୍ଥା ନଥିବା ଦର୍ଶାଇ ଗଛ ଗଣ୍ଡିକୁ ସେଭଳି ରାସ୍ତା ଉପରେ ଛାଡ଼ି ଫେରି ଯାଇଥିଲେ । ସୋମବାର ସନ୍ଧ୍ୟାରେ ବିଦ୍ୟୁତ ସରବରାହ ପୁନଃ ଆରମ୍ଭ ହୋଇଥିଲେ ମଧ୍ୟ ଗଛ ପଡ଼ି ରହିଥିବାରୁ ରାସ୍ତା ବନ୍ଦ ରହିଛି । ଏନେଇ ସ୍ଥାନୀୟ ବାସିନ୍ଦା ପୌରପାଳିକାକୁ ଜଣାଇବାର ୪ଦିନ ବିତି ଯାଇଥିଲେ ମଧ୍ୟ ଗଛ ରାସ୍ତା ଉପରୁ ଉଠି ପାରିନାହିଁ । ଫଳରେ ରାସ୍ତାରେ ଯିବା ଆସିବା ପାଇଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।