ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଚିନା ବାଦାମ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଚାଷୀଙ୍କ ସମସ୍ୟାର ଏକ ପ୍ରକାର ହେଲା ସମାଧାନ। ଆଜି ଉଦଘାଟିତ ହୋଇ ଯାଇଛି ମଣ୍ଡି। ବାରକୋଟ ବ୍ଲକ୍ ଦଣ୍ଡାସିଂହା ପଞ୍ଚାୟତ ଠାରେ ମାର୍କଫେଡ଼ ପକ୍ଷରୁ ବାରକୋଟ ଫେଡ଼ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଜରିଆରେ କ୍ୟୁଇଣ୍ଟାଲ ପ୍ରତି ୫ ହଜାର ୫ ଶହ ୫୦ ଟଙ୍କା ଦରରେ ଚିନା ବାଦମ କ୍ରୟ ଆରମ୍ଭ କରାଯାଇଛି।
ଆଜି ପୂର୍ବାହ୍ନରେ ଦଣ୍ଡାସିଂହା ପଞ୍ଚାୟତ ରାଜୀବ ସେବା କେନ୍ଦ୍ର ଠାରେ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କେ. ଆର୍ ରାଓ, ଦଣ୍ଡାସିଂହା ସରପଞ୍ଚ କ୍ଷୀରଦିନି ପ୍ରଧାନ, ମାର୍କଫେଡ଼ ଏରିଆ ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ, ବ୍ଲକ୍ କୃଷି ଅଧିକାରୀ ଧବଳେଶ୍ୱର ସାହୁ, ବାରକୋଟ ତହସିଲଦାର ରୁବି ବେହେରା, ବାରକୋଟ ଫେଡ଼ ଫାର୍ମର୍ସ ପ୍ରଡ୍ୟୁସର ନିର୍ଦ୍ଦେଶକ ଦେବାନନ୍ଦ ଜିତ ଓ କ୍ଲଷ୍ଟର ମ୍ୟାନେଜର ଅରୁଣ କୁମାର ଟାଲି ପ୍ରମୁଖ ଉପସ୍ଥିତ ରହି ଫିତା କାଟିବା ସହ ମଣ୍ଡିର ଉଦଘାଟନ କରିଥିଲେ।
ଏହି ମଣ୍ଡି ଖୋଲିବା ପରେ ସ୍ଥାନୀୟ ଅଞ୍ଚଳର ଚିନା ବାଦାମ ଚାଷୀ ଖୁସି ବ୍ୟକ୍ତ କରିଥିବା ବେଳେ ବର୍ତମାନ ଅଞ୍ଚଳର ଚାଷୀ ଅଭାବୀ ବିକ୍ରି ଓ ଦଲାଲ କବଳରୁ ମୁକ୍ତ ହୋଇ ନିଜ ପରିଶ୍ରମର ଉପାର୍ଜିତ ଫସଲର ଉଚିତ ମୂଲ୍ୟ ପାଇଥିବା ପ୍ରକାଶ କରିଛନ୍ତି।