ଡେରାଡୁନ,ଏଜେନ୍ସି: ଉତ୍ତରକାଶୀରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ବସ୍ରେ ମୋଟ ୩୦ ଜଣ ଯାତ୍ରୀ ଥିଲେ। ଏଥିରୁ ୨୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି, ୪ ଜଣ ଆହତଙ୍କୁ ଡେରାଡୁନ୍ର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଯମୁନନେତ୍ରୀ ଅଭିମୁଖେ ଯାଉଥିବା ଏକ ବସ୍ ଗର୍ତ୍ତକୁ ଖସିଯିବାରୁ ଅଘଟଣ ଘଟିଥିଲା। ଏହି ଦୁର୍ଘଟଣା ଯମୁନେତ୍ରୀ ନ୍ୟାସନାଲ ହାଇୱେରେ ଡାମଟା ନିକଟରେ ହୋଇଥିଲା। ବସ୍ରେ ମଧ୍ୟପ୍ରଦେଶର ଶ୍ରଦ୍ଧାଳୁମାନେ ଥିଲେ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଳମ୍ବିତ ରାତିରେ ଡେରାଡୁନ ପହଞ୍ଚି ପୋଲିସ କଣ୍ଟ୍ରୋଲ ରୁମରେ ଉତ୍ତରାଖଣ୍ଡ ସରକାରଙ୍କ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଉତ୍ତରକାଶୀରେ ଉଦ୍ଧାର କାର୍ଯ୍ୟ ନେଇ ଅବଗତ ହୋଇଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଆହତ ଶ୍ରଦ୍ଧାଳୁଙ୍କୁ ଦେଖିବା ପାଇଁ ବିଳମ୍ବିତ ରାତିରେ ମ୍ୟାକ୍ସ ହସ୍ପିଟାଲ ପହଞ୍ଚି ଥିଲେ। ସେ ଡାକ୍ତରୀ ଟିମ୍ଙ୍କ ସହିତ କଥା କରିଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ଶିବରାଜ ସିଂହ ଚୌହାନ ସୋମବାର ପୂର୍ବାହ୍ନ ୮ଟାରେ ଘଟଣାସ୍ଥଳକୁ ଯିବେ। ଡିଜିପି ଅଶୋକ କୁମାର କହିଛନ୍ତି ଯେ, ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ପୋଲିସ ସହିତ ଏସଡିଆରଏଫ ଟିମ୍ ନିୟୋଜିତ ଥିଲେ।