ଖଜୁରୀପଡ଼ା,ଏନ୍ଏନ୍ଏସ୍: ଖଜୁରୀପଡ଼ା ସଦମହକୁମା ବରଡା ବାଲୁଙ୍କେଶ୍ୱର ଶୈବପୀଠରେ ୩ଦିନ ଧରି ଚାଲିଥିବା ଶିବ ବିବାହ ଶୀତଳଷଷ୍ଠୀ ଉତ୍ସବ ଶାନ୍ତିଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି। ପ୍ରଥମ ଦିନରେ ଗ୍ରାମର ଶହ ଶହ ମହିଳା ଏବଂ ଗ୍ରାମବାସୀଙ୍କ ସହ ଶିବମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଏକ ବିଶାଳ କଳସ ଶୋଭାଯାତ୍ରା କରାଯାଇ ଖଜୁରୀପଡ଼ା ବଡ଼ ପୋଖରୀ ତୁଠରୁ ଜଳ କଳସ ଅଣାଯାଇ ମନ୍ଦିର ବିବାହ ବେଦୀରେ ପହଞ୍ଚିଥିଲା। ବାଜା ବାଦ୍ୟ ବାଣ ରୋଷଣୀରେ ସହର ଠାରୁ ଗାଁ’ ପ୍ରକମ୍ପିତ ହୋଇଥିବା ବେଳେ ଦ୍ୱିତୀୟ ଦିନ ଅପରାହ୍ଣରେ ପୁନର୍ବାର ବରପିତାଙ୍କ ଘରୁ ବିବାହ ଶୋଭାଯାତ୍ରା ଆରମ୍ଭ ହୋଇ ସମ୍ପୂର୍ଣ ଖଜୁରୀପଡ଼ା ଅଞ୍ଚଳ ପରିକ୍ରମା କରି କନ୍ୟା ପିତାଙ୍କ ଘରକୁ ଯାଇ ବିବାହ ମଣ୍ଡପରେ ପହଞ୍ଚିଥିଲା।
ହଜାର ହଜାର ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀ ଶିବ ପାର୍ବୀଙ୍କର ବିବାହ ଶୋଭାଯାତ୍ରାରେ ସାମିଲ୍ ହୋଇଥିବା ବେଳେ ବାଦ୍ୟ ବାଣ ରୋଷଣୀରେ ଅସମ୍ଭବ ଜନ ଗହଳି ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟ ଚାଲିଥିବା ବେଳେ ସଂଧ୍ୟା ସମୟରେ କଟକ ଜିଲ୍ଲାର ଏକ ସାଂସ୍କୃତିକ ନୃତ୍ୟ ରାମାୟଣ ମହିଳା ମାନଙ୍କ ଦ୍ଵାରା ପରିବେଷଣ ଚାଲିଥିଲା। ମନ୍ଦିର କମିଟି ପକ୍ଷରୁ ଆଗନ୍ତୁକ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ୩ ଦିନ ଧରି ଚାଲିଥିବା ବେଳେ ବର ଏଵଂ କନ୍ୟା ପିତାଙ୍କ ଘରେ ମଧ୍ୟ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।
ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟରେ ଖଜୁରୀପଡ଼ା ଗ୍ରାମର ମାତା ପାର୍ବତୀଙ୍କ କନ୍ୟା ପିତାମାତା ଭାବେ ସୁଦାମ ପ୍ରଧାନ, ଲଳିତା ପ୍ରଧାନ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶିବ ଠାକୁରଙ୍କ ପିତା ଭାବେ ସାର୍ତ୍ତା ସାହିର ହେମନ୍ତ ମଲିକ, ସୁଚିତ୍ରା ମଳିକ ଦାୟିତ୍ଵ ଗ୍ରହଣ କରିଥିଲେ। ଶିବ ମନ୍ଦିର ସାହିର ସମସ୍ତ ଯୁବକ ମାନେ ବିବାହ ଶୋଭାଯାତ୍ରାର ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଅଧିକାରୀ ଶୈଳ ପ୍ରଧାନ, ରଜନୀ ମାଝୀ, ପିତାମ୍ବର ସାହୁ, ବିଷ୍ଣୁ ଚରଣ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ମଳିକ, ଅରୁଣ ମଳିକଙ୍କ ସମେତ ଗ୍ରାମର ସମସ୍ତ ମୁରବୀ ସମସ୍ତ ଦାୟିତ୍ଵ ସମ୍ପାଦନ କରିଥିଲେ। ପୁରୋହିତ ଭାବେ ଶ୍ୟାମଘନ ତ୍ରିପାଠୀ ଲମ୍ବୋଦର ଦାସ ପ୍ରତାପ ଦାସ ପ୍ରମୁଖ ବିବାହ କାର୍ଯ୍ୟ କରିଥିଲେ।