୨ ପିତୃମାତୃହୀନ ଶିଶୁଙ୍କୁ ପିଏମ କେୟାର ଯୋଜନାରୁ ମିଳିଲା ୧୦ ଲକ୍ଷ ଟଙ୍କାର ସହାୟତା ଓ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା

ଦେବଗଡ଼,ଏନଏନଏସ: ଗତ ୨ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଅନେକ ଲୋକ କରୋନ ମହାମାରୀରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ନିଜ ପିତାମତଙ୍କୁ ହରାଇ ବିଶେଷ ଭାବେ ଶିଶୁମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ଏହି କ୍ରମରେ ଗତ ୨୦୨୧ ଏପ୍ରିଲରେ ରିଆମାଳ ଅଞ୍ଚଳର ଜଣେ ଶିକ୍ଷକ କରୋନାରେ ନିଜ ଜୀବନ ହରାଇଥିଲେ ଏବଂ ଠିକ ତାଙ୍କ ମୃତ୍ୟୁର ଅଧ ଘଣ୍ଟା ମଧ୍ୟରେ ତାଙ୍କ ପତ୍ନୀ ମଧ୍ୟ ଆଖି ବୁଜିଦେଇ ୨ ଶିଶୁପୁତ୍ରଙ୍କୁ ଅସହାୟ କରି ଛାଡ଼ି ଦେଇ ଯାଇଥିଲେ । ଏହି ସୂଚନା ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ନିଜ ସହଯୋଗୀ ଚିନ୍ମୟ ସ୍ୱାଇଁଙ୍କ ସାଙ୍ଗରେ ଘଟଣାସ୍ଥଳକୁ ଯାଇ ପିଲାଙ୍କୁ ଭେଟି ସେମାନଙ୍କ ସାମାଜିକ , ଆର୍ଥିକ ଓ ପାରିବାରିକ ସ୍ଥିତିର ସମୀକ୍ଷା କରି ଏହି ୨ ଶିଶୁଙ୍କ ସୁରକ୍ଷିତ ଭବିଷ୍ୟତ ଓ ଥଇଥାନ ପାଇଁ ଏକ ଯୋଜନା ପ୍ରସ୍ତୁତ କରି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ସହ ଶିଶୁ ମଙ୍ଗଳ କମିଟିକୁ ମଧ୍ୟ ଅବଗତ କରାଇଥିଲେ । ଜିଲ୍ଲାପାଳ ଶ୍ରୀ ସାମଲ ଏହି ଯୋଜନାର ସମୀକ୍ଷା କରି ତୁରନ୍ତ ଶିଶୁ ଦ୍ୱୟଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ମାସକୁ ୨,୫୦୦ ଟଙ୍କା, ମଧୁବାବୁ ପେନସନ ଯୋଜୋନରୁ ମାସିକ ୫୦୦ଟଙ୍କା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପୃଷ୍ଠପୋଷକତା ରାଶି ମାସିକ ୨ହଜାର ଟଙ୍କା ପ୍ରଦାନ କରିଥିଲେ ଯାହାକି ଏହି ପିଲାମାନେ ୧୮ ବର୍ଷ ହେବା ପର୍ଯ୍ୟନ୍ତ ପାଇପାରିବେ । ଏଥିସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ରଙ୍କ ତଦନ୍ତ ରିପୋର୍ଟକୁ ଅନୁମୋଦନ କରି ଜିଲ୍ଲାପାଳ ଶ୍ରୀ ସାମଲ ଏହି ପିତୃମାତୃହୀନ ଶିଶୁ ଦ୍ୱୟଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ପିଏମ କେୟାର୍ସ ଯୋଜନାରେ ସାମିଲ କରିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ।
ଆଜି ସ୍ଥାନୀୟ ଏନଆଇସି କେନ୍ଦ୍ରରେ ଭର୍ଚୁଆଲ ମୋଡରେ ହୋଇଥିବା ଏକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ କରୋନ କାରଣରୁ ପିତାମାତାଙ୍କୁ ହରାଇଥିବା ଉଭୟ ଶିଶୁଙ୍କୁ ପିଏମ କେୟାର୍ସ ଯୋଜୋନାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ନେହ ପତ୍ର’ ଓ ଆୟୁଷ୍ମାନ ଭାରତର ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କାର୍ଡ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଏହି ରାଶି ପିଲାଙ୍କ ସେଭିଙ୍ଗ ଖାତାରେ ସୁରକ୍ଷିତ ରହିବ ଏବଂ ୧୮ ବର୍ଷ ବୟସରେ ଉପନୀତ ହେବା ପରେ ପିଲାମାନେ ସୁଧ ରାଶି ପାଇପାରିବେ । ଆଉ ୨୩ ବର୍ଷ ବୟସରେ ପଦାର୍ପଣ କଲା ପରେ ସମ୍ପୂର୍ଣ ୧୦ ଲକ୍ଷ ଟଙ୍କାକୁ ବ୍ୟାଙ୍କ ଖାତାରୁ ବାହାର କରି ନିଜ ଆବଶ୍ୟକତା ଅନୁଯାୟୀ ଉପଯୋଗ କରିପାରିବେ । ୧୮ ବର୍ଷ ହେବା ପର୍ଯ୍ୟନ୍ତ ଜିଲ୍ଲାପାଳ ଏହି ପିଲାଙ୍କ ଅଭିଭାବକ ଭାବେ ଦାୟିତ୍ୱ ତୁଲାଇବେ ଓ ବିଭିନ୍ନ ଯୋଜୋନାର ହିତାଧିକାରୀ ଭାବେ ଏହି ଶିଶୁମାନେ ସହାୟତା ପାଇପାରିବେ । ଆଜି ଜିଲ୍ଲାପାଳଙ୍କ ଏନଆଇସି ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟ ସଇରେନ୍ଦ୍ରି ପ୍ରଧାନ, ସୁଷମା ମହାପାତ୍ର, ସପୋର୍ଟ ନିର୍ଦ୍ଦେଶକ ଚନ୍ଦ୍ରଶେଖର ସାହୁ ଓ ଆକ୍ସନଆଡ ଜିଲ୍ଲା ପ୍ରତିନିଧି ପୀତବାସ ବେହେରା ଉପସ୍ଥିତ ରହି ପିଲାଙ୍କୁ ସେମାନଙ୍କ ବ୍ୟାଙ୍କ ଖାତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ମାନପତ୍ର ଆଦି ହସ୍ତାନ୍ତର କରିଥିଲେ ।