ଶୃଙ୍ଖଳିତ ରଥଯାତ୍ରା ପାଇଁ ବୈଠକ, ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ

ପୁରୀ,ଏନ୍ଏନ୍ଏସ୍: ଚଳିତ ବର୍ଷ ଜନସମାଗମରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। କରୋନା ମହାମାରୀର କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଭକ୍ତଙ୍କ ବିନା ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ହେଲେ ଚଳିତ ବର୍ଷ ପୁରୀ ରଥଯାତ୍ରାରେ କୌଣସି କଟକଣା ନଥିବାରୁ ବହୁ ଜନସମାଗମ ହେବ। ଏହି ରଥଯାତ୍ରାରେ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ପୁରୀର ହୋଟେଲ ମାଲିକମାନଙ୍କ ସହ ଆଲୋଚନା କରାଯାଇଛି। ଆଲୋଚନାରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛି ପୁଲିସ। ହୋଟେଲରେ ସିସିଟିଭି ଓ ସୁରକ୍ଷା କଡାକଡି ଲାଗି ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟଟକଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ସେହିପରି ପର୍ଯ୍ୟଟକଙ୍କ ଲାଗି ପୋଲିସ ହେଲ୍ପଲାଇନ ନମ୍ବର ୬୩୭୦୯୭୭୧୦ ଜାରି ହୋଇଛି। ପର୍ଯ୍ୟଟକ ହେଲପ ଲାଇନ ନମ୍ବରରେ ପୁଲିସକୁ ଅଭିଯୋଗ କରିପାରିବେ। ହୋଟେଲର ସିସିଟିଭି ଫୁଟେଜକୁ ୧ ସପ୍ତାହ ପର୍ଯ୍ୟନ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକଙ୍କ ସମ୍ପର୍କରେ ପୁଲିସକୁ ସବିଶେଷ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।