ନୂଆଦିଲ୍ଲୀ,ଏଜେନ୍ସି: ଆଜି (ରବିବାର) ୮୯ ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଷୟରେ ଆଲୋକପାତ କରିଛନ୍ତି ମୋଦୀ। ତାନଞ୍ଜାଭୁରରେ ଏସ୍ଏଚ୍ଜି ଦ୍ବାରା ଅନେକ ଷ୍ଟୋର ଖୋଲିଛି। ଏହା ଦ୍ବାରା ଅନେକ ଗରିବ ପରିବାରଙ୍କ ଜୀବନ ବଦଳିଛି। ଏହି ଷ୍ଟୋର ଖୋଲିବା ଦ୍ବାରା ଗ୍ରୁପ ମହିଳାମାନେ ସେମାନଙ୍କ ଜିନିଷ ବିକ୍ରି କରୁଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସମର୍ଥନ କରିବାକୁ ଅହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ମହିଳା ସଶକ୍ତ ହେଲେ ଦେଶ ଆଗକୁ ବଢିବ। ମହିଳା ସଶକ୍ତୀକରଣରେ ଏସଏଚଜି ବଡ ଭୂମିକା ତୁଲାଇଛି। ଆପଣଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ଏସ୍ଏଚ୍ଜି ଦ୍ବାରା ତିଆରି ଜିନିଷକୁ ପ୍ରୋତ୍ସାହିତ କରନ୍ତୁ। ସେମାନେ ତାଙ୍କ ଜିନିଷ ବିକ୍ରି କରି କିପରି ସ୍ବାବଲମ୍ବୀ ହୋଇ ପାରିବେ ସେ ଦିଗରେ ପଦକ୍ଷେପ ନିଅନ୍ତୁ ଏବା ଆତ୍ମନିର୍ଭର ଭାରତର ସ୍ବପ୍ନ ସାକାର କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଜାପାନ ଗସ୍ତ ବିଷୟରେ କହି ସେଠାରେ ଭେଟିଥିବା ଲୋକଙ୍କ ବିଷୟରେ କହିଛନ୍ତି ମୋଦୀ। ଜାପାନବାସୀ ହୋଇଥିଲେ ବି ଭାରତ ପ୍ରତି ସେମାନଙ୍କ ସମ୍ପର୍କ ଗଜବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆର୍ଟ ଡାଇରେକ୍ଟର ହିରୋସି କୋଇକେଙ୍କ ବିଷୟରେ କହି ମୋଦୀ କହିଛନ୍ତି ସେ ମହାଭାରତ ପ୍ରୋଜେକ୍ଟକୁ ନିର୍ଦ୍ଦେଶନା ଦେଇଛନ୍ତି। ଦେଶରେ ଷ୍ଟାର୍ଟଅଫ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶରେ ୟୁନିକର୍ଣ୍ଣ ଶତକ ଛୁଇଁବା ଗର୍ବର ବିଷୟ ବୋଲି କହିଛନ୍ତି ମୋଦୀ।
ଆଗାମୀ ମାସ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବ। ଯୋଗ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦୈନନ୍ଦିନ ଜୀବନରେ ଯୋଗ କରନ୍ତୁ। ଏ ବର୍ଷ ଯୋଗ ଦିବସର ବିଷୟ ବସ୍ତୁ ରହିଛି ମାନବିକାତା ପାଇଁ ଯୋଗ। ବ୍ୟବସାୟୀଙ୍କଠୁ ନେଇ ଫିଲ୍ମ ଷ୍ଟାର ଓ ସାଧାରଣ ଲୋକ ଯୋଗକୁ ଜୀବନର ଅଙ୍ଗ ବନାଇଛନ୍ତି। ଯୋଗର ଲୋକପ୍ରୟତା ବଢୁଛି। ଚଳିତ ବର୍ଷ ଉତ୍ସାହର ସହ ଦିନଟିକୁ ପାଳନ କରିବାକୁ କହିଛନ୍ତି ମୋଦୀ।
ଆମ ଦେଶରେ ଅନେକ ପ୍ରକାର ଭାଷା, ଲିପି ରହିଛି। ଅଲଗା ଅଲଗା କ୍ଷେତ୍ରର ଚଳନି ଆମ ସଂସ୍କୃତିର ପରିଚୟ। ଏକତା ମଧ୍ୟରେ ବିଭିନ୍ନତା ଏକ ରାଷ୍ଟ୍ର ରୂପେ ଅଧିକ ସଶକ୍ତ ଓ ଏକଜୁଟ କରିଛି। ଉତ୍ତରାଖଣ୍ଡର କଳ୍ପନା ନାମକ ଜଣେ ଯୁବତୀଙ୍କ ପ୍ରଶଂସା କରିଛନ୍ତି। କନ୍ନଡ ଭାଷା ନଜାଣି ସେ କର୍ଣ୍ଣାଟକରେ ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି। ସେ ୩ ମାସରେ କନ୍ନଡ ଭାକ୍ଷା ଶିଖିବାକୁ ସକ୍ଷମ ହୋଇଛନ୍ତି। କଳ୍ପନାଙ୍କ ଏହି ପ୍ରୟାସ ଏକ ଭାରତ ଶ୍ରେଷ୍ଠ ଭାରତ କଥାକୁ ସାକାର କରିଛନ୍ତି।