ଶ୍ରୀନଗର,ଏଜେନ୍ସି: କାଶ୍ମୀରରେ ସୁରକ୍ଷା ବଳର ଅପରେସନ ବେଳେ ଧରା ପଡିଥିବା ଆତଙ୍କବାଦୀ ଆବିଦ ଅହମ୍ମଦ ମିରକୁ ୩ ଦିନିଆ ଏନ୍ଆଇଏ ହେପାଜତକୁ ପଠାଇଲେ କାଶ୍ମୀର ଏନ୍ଆଇଏ କୋର୍ଟ। ସଞ୍ଜୁଓ୍ବାନ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିଲା ଆତଙ୍କବାଦୀ ଅହମ୍ମଦ ମିର। ଆଜି କାଶ୍ମୀର ଏନ୍ଆଇଏ ତୃତୀୟ ଅତିରିକ୍ତ ସେସନ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲାରେ ଶୁଣାଣି କରି ଅଧିକ ତଥ୍ୟ ସଂଗ୍ରହ ପାଇଁ ଆତଙ୍କବାଦୀ ମିରକୁ ୩ ଦିନିଆ ଏନ୍ଆଇଏ ହେପାଜତକୁ ପଠାଇଛନ୍ତି।
ଗତମାସ ଏପ୍ରିଲ ୨୨ ତାରିଖରେ ହୋଇଥିବା ସଞ୍ଜୁଓ୍ବାନ ଆତଙ୍କବାଦୀ ଆକ୍ରମଣରେ ଗିରଫ ଆତଙ୍କବାଦୀ ମିର ପ୍ରତ୍ୟେକ୍ଷ ସମ୍ପୃକ୍ତ ଥିବା ନେଇ ପ୍ରମାଣ ମିଳିବା ପରେ ଏକ ସ୍ବତନ୍ତ୍ର ଅଭିଯାନରେ ତାକୁ ଗିରଫ କରିଥିଲା ସୁରକ୍ଷା ବାହିନୀ। ଏହି ଆକ୍ରମଣରେ ସିଆଇଏସ୍ଏଫ୍ର ଜଣେ ଏଏସ୍ଆଇ ଶହୀଦ ହୋଇଥିବା ବେଳେ ଏକାଧିକ ଯବାନ ଆହତ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ମଧ୍ୟ ଦୁଇ ଆତଙ୍କୀ ଘଟଣାସ୍ଥଳରେ ଟଳିଥିଲେ ସୁଦ୍ଧା ଅନ୍ୟ କିଛି ଆତଙ୍କୀ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ।