ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି (ମେ’ ୩୦ ) ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର ଯୋଜନାରେ ଲାଭାଶଂ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। କୋରୋନା ମହାମାରୀରେ ପିତାମାତାଙ୍କୁ ଅକାଳରେ ହରାଇ ଅସହାୟ ହୋଇ ପଡିଥିବା ଛାତ୍ରାଛାତ୍ରୀଙ୍କୁ ଛାତ୍ରବୃତ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଶିଶୁଙ୍କୁ ପାସବୁକ ମଧ୍ୟ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଏହି ଯୋଜନା ଅଧୀନରେ ଅସହାୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ୨୩ ବର୍ଷ ବୟସ ହେବା ଯାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର। ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ, ଡାକ ବିଭାଗ, ସାମାଜିକ ନ୍ୟାୟ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନେଇ ବ୍ୟବସ୍ଥା କରାଯାଇଛି।
ଯୋଜନା ଅଧୀନରେ ଲାଭ ପାଇବାକୁ ଥବା ଛାତ୍ରଛାତ୍ରୀଙ୍କ ଖାତାରେ ୧୦ ଲକ୍ଷର ସହାୟତା ରାଶି ପର୍ଯ୍ୟାୟକ୍ରମେ ଜମା କରିବେ କେନ୍ଦ୍ର ସରକାର। ୧୮-୨୩ ବର୍ଷ ବୟସ ପର୍ଯ୍ୟନ୍ତ ଏହି ରାଶି ଜମା ହେବା ସହ ଏହା ପରେ ଛାତ୍ରଛାତ୍ରୀଙ୍କ ନାମରେ ଏହି ରାଶିକୁ ନିବେଶ କରାଯିବ। କରୋନା ସଂକ୍ରମଣର ଦ୍ବିତୀୟ ଲହର ସମୟରେ ଗତବର୍ଷ ୨୯ ମେ’ରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।