ପାଟଣାଗଡ଼,ଏନ୍ଏନ୍ଏସ୍: ପୁଲିସ ସନ୍ଦେହରେ ମଧ୍ୟାହ୍ନ ଚାଉଳ ବୋଝେଇ ଏକ ମିନିଟ୍ରକ୍ (ଓଆର୍-୦୨କ୍ୟୁ-୯୯୧୫) କୁ ପାଟଣାଗଡ଼ ପୁଲିସ ଗତ ୩ ଦିନ ଧରି ଅଟକ ରଖିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍ ଯୋଗୀମୁଣ୍ଡା ସ୍ଥିତ ଆର୍ଏମ୍ସିରୁ ଛୋଟ ଛୋଟ ପିଲାମାନଙ୍କ ଖାଦ୍ୟ ପାଇଁ ଖପ୍ରାଖୋଲ ବ୍ଲକ୍ ନିମନ୍ତେ ଚାଉଳ ଉଠାଯାଇ ସେହି ଅଞ୍ଚଳକୁ ଯାଉଥିବା ସରକାରୀ କାଗଜ ପତ୍ରରେ ଦର୍ଶାଯାଇଥିଲା। କିନ୍ତୁ ସମ୍ପୃକ୍ତ ଠିକାଦାର ତୋଫାନ ମେହେର ଖପ୍ରାଖୋଲକୁ ଏହି ଚାଉଳ ଗାଡ଼ି ନନେଇ ପାଟଣାଗଡ଼ ପଟକୁ ଆଣୁଥିବାର ଖବରପାଇ ପୁଲିସ ବର୍ଥଲା ଛକରେ ମିନିଟ୍ରକ୍କୁ ଅଟକାଇ ଆବଶ୍ୟକ କାଗଜ ପତ୍ର ମାଗିଥିଲେ। ପରେ ସନ୍ଦେହ ହେବାରୁ ପୁଲିସ ଉକ୍ତ ଚାଉଳ ବୋଝେଇ ଗାଡ଼ିକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
ଅଧିକ ପଚରାଉଚରା କରିବା ପରେ ଗାଡିର ବୈଧତା ପ୍ରମାଣ ପତ୍ର ନଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଠିକାଦାରଙ୍କୁ ପୁଲିସ ଡାକିଥିଲେ ମଧ୍ୟ ସେ ପୁଲିସ ନିକଟରେ ହାଜିର ହୋଇନଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଯଦିଓ ପୁଲିସ ଏସଂକ୍ରାନ୍ତରେ କୌଣସି ମାମଲା ରୁଜୁ କରିନାହିଁ ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଉକ୍ତ ଚାଉଳ ବୋଝେଇ ଗାଡ଼ି ଖପ୍ରାଖୋଲ ନଯାଇ ପାଟଣାଗଡ଼ ପଟକୁ ଆସୁଥିଲା ତାହା ସନ୍ଦେହ ସୃଷ୍ଟି କରିଛି।