ନିରାଶ କରୁଛି ବଡନାଳ ଜଳସେଚନ ପ୍ରକଳ୍ପ; ପଡିଆ ପଡିଲା ୪ ହଜାର ୯୫୦ ହେକ୍ଟର ଚାଷ ଜମି

ରାୟଗଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡା ଜିଲ୍ଲାର ପଦ୍ମପୁର ଅଞ୍ଚଳ ଧାନଚାଷ ପାଇଁ ସାରା ରାଜ୍ୟରେ ବେଶ ନାମ କମାଇ ଥାଏ। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ବର୍ଷ ରବି ଋତୁରେ କେନ୍ଦୁଗୁଡା ବଡନାଳ ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ପାଣି ଯୋଗାଇ ଦେଇ ନପାରିବାରୁ ଏହି ଅଞ୍ଚଳରେ ହେବାକୁ ଥିବା ୪ ହଜାର୯୫୦ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇନପାରି ପଡିଆ ପଡିଛି। କେନ୍ଦୁଗୁଡ଼ା ବଡ଼ନାଳ ଜଳ ସେଚନ ପ୍ରକଳ୍ପ ହେଉଛି ରାୟଗଡା ଜିଲ୍ଲାର ପଦ୍ମପୁର ଅଞ୍ଚଳର ଲାଇଫ ଲାଇନ। କେନ୍ଦୁଗୁଡା ଜଳ ସେଚନ ପ୍ରକଳ୍ପ ରିହିଛି କିନ୍ତୁ ଚାଷୀ କୁଳକୁ ହିତରେ ଆସୁନଥିବା ଚାଷୀ ଅଭିଯୋଗ କରିଛନ୍ତି।

ଚଳିତ ବର୍ଷ ରବି ଋତୁରେ ବଡନାଳ ଜଳସେଚନ ପ୍ରକଳ୍ପରୁ ଜଳ ଯୋଗାଣ ନହେବା ଯୋଗୁଁ ଚାଷୀ ମାନେ ଚାଷ କରିପାରିନାହାନ୍ତି। ପଦ୍ମପୁର ବ୍ଲକ୍‌ କେନ୍ଦୁଗୁଡା ଠାରେ ବଡନାଳ ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଜଳ ସେଚନ ପ୍ରକଳ୍ପ ହେବାର କିଛି ବର୍ଷଠାରୁ ପ୍ରକଳ୍ପରେ ପାଣି ଲିକେଜ୍ ହେଉଛି। ଯାହା ଦ୍ବାରା ଡ୍ୟାମ୍‌ରେ ଅସାନୁ ରୂପ ପାଣି ରହିପାରୁନି। ରାୟଗଡା ଜିଲ୍ଲାର ପଦ୍ମପୁର କେନ୍ଦୁଗୁଡା ବଡ଼ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାରରେ ଏବେ ପାଣିର ଅଭାବ ଦେଖାଦେଉଛି। ସୂଚନା ଅନୁଯାୟୀ ୧୯୮୧ ମସିହାରେ ସରକାର କେନ୍ଦୁଗୁଡା ଠାରେ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରି ଦୀର୍ଘ ୧୪ ବର୍ଷ ପରେ ୧୯୯୫ ମସିହାରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ୧୯୯୭ ମସିହା ଫେବୃଆରୀ ୧୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳ ଉଦ୍‌ଘାଟନ କରି ଚାଷୀ ମାନଙ୍କୁ ଜଳସେଚିତ କରିଥିଲେ।

ଏହି ପ୍ରକଳ୍ପଟି ୯୩୦ ହେକ୍ଟର ପରିଧି ମଧ୍ୟରେ ଅବସ୍ଥାପିତ। ଏହାର ଉଚ୍ଚତା ୪୮ ମିଟର, ଲମ୍ବ ୩୨୫ ମିଟର। ଏହି ପ୍ରକଳ୍ପ ହେବା ଦ୍ୱାରା ଗୁଣପୁର, ଗୁଡାରି, ରାମନାଗୁଡା ଏବଂ ପଦ୍ମପୁର ଅଞ୍ଚଳର ପାଖାପାଖି ୯ ହଜାର ୮୭୪ ହେକ୍ଟର ଚାଷ ଜମିକୁ ଜଳସେଚିତ ହେଉଥିବା ବେଳେ ରବି ଋତୁରେ ଏହି ପ୍ରକଳ୍ପ କେବଳ ପଦ୍ମପୁର ଓ ଗୁଡାରି ବ୍ଲକ୍‌ର ୪ ହଜାର ୯୫୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଛି। କିନ୍ତୁ ଏହି ବର୍ଷ ଉକ୍ତ ପ୍ରକଳ୍ପରେ ମଧ୍ୟ ସମସ୍ୟା ଦେଖାଦେଇଛି। ଏହାର ମୁଖ୍ୟ କାରଣ ଡ୍ୟାମରୁ ପାଣିର ଲିକେଜ। ପାଣି ଡ୍ୟାମରୁ ଲିକେଜ ହୋଇ ଜମିକୁ ନଯାଇ ନଦୀରେ ମିଶୁଛି। ଲିକେଜ ବନ୍ଦ ନାମରେ ଓ ଚାଷୀଙ୍କ ଜମିକୁ ଜଳଯୋଗାଣ ନାମରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। ବୈଷୟିକ ଟିମ୍‌ ପରେ ଟିମ୍‌ ଆସି ଦେଖୁଛନ୍ତି ଓ ପ୍ରତେକ ବର୍ଷ ମରାମତି ମଧ୍ୟ କରୁଛନ୍ତି, କିନ୍ତୁ ପାଣି ଲିକେଜ୍‌ ସମସ୍ୟାର ସମାଧାନ ହୋଇପାରୁନାହିଁ। ଯାହା ଫଳରେ ଜଳଭଣ୍ଡାରରେ ପାଣି ଷ୍ଟୋରେଜ ହୋଇ ରହୁନାହିଁ। ଫଳରେ ଚାଷୀଙ୍କୁ ଆବଶ୍ୟକ ସମୟରେ ପାଣି ମିଳିପାରୁ ନାହିଁ।

ଚାଷୀଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିବା ପ୍ରକଳ୍ପରେ ଆଶାନୁରୂପ ପାଣି ନଥାଇ ଶୁଖିଲା ପଡିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପାଖ କୁଟାରାଗଡ଼ ନଦୀକୁ ସଂଯୋଗ କରାଯିବ ବୋଲି ଖାଲି ଅଫିସର ନେତା ମନ୍ତ୍ରୀ ଆସିବା ସମୟରେ ଆଲୋଚନା କରାଯାଉଛି, ହେଲେ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ସଂଯୋଗ ହୋଇପାରିନି। ଯଦି କୁଟାରାଗଡ଼ ନଦୀକୁ ବଡ଼ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ସଂଯୋଗ କରାଯାଏ ତେବେ ଗୁଣପୁର ଉପଖଣ୍ଡର ଗୁଣପୁର, ପଦ୍ମପୁର, ରାମନାଗୁଡା, ଗୁଡାରି ଅଞ୍ଚଳର ଅନେକ ଚାଷୀ ଭାଇ ଉପକୃତ ହୋଇପାରନ୍ତେ। ଜଳ ଭଣ୍ଡାରରେ କିପରି ପାଣି ମହଜୁଦ୍ ରହିବ ଓ ଚାଷୀମାନେ ଉଭୟ ରବି ଓ ଖରିପ ଋତୁରେ ନିଜ ନିଜ ଜମିରେ ଆବଶ୍ୟକ ଜଳ ପାଇପାରିବେ ସେନେଇ ଜଳ ସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ବୈଷୟିକ ଦଳ ସାହାଯ୍ୟରେ ଏହାର ସ୍ଥାୟୀ ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।