ସିଆରପିଏଫ୍ ପକ୍ଷରୁ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଟିଫିନ୍ ବୋମା ଉଦ୍ଧାର

ବାଲିଗୁଡା,ଏନ୍ଏନ୍ଏସ୍: କିଛି ଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରି କରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଂଗଠନ। ସେପଟେ ପୁଲିସ ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଂଗଠନ। ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଟିଫିନ୍ ବୋମା ଉଦ୍ଧାର ହୋଇଛି। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ୍‌ ବେଲଘର ଥାନା ଲଙ୍କାଗଡ଼ ଗ୍ରାମପଞ୍ଚାୟତର ଗାହାଲି ଗ୍ରାମର ଜଣେ ଅଜ୍ଞାତ ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ବୋହି ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ସିଆର୍‌ପିଏଫ୍ କମାଣ୍ଡାଣ୍ଟ୍ ରଣନୀତି ପ୍ରସ୍ତୁତ କରିଥିଲେ। ସୂଚନା ପ୍ରକାରେ ଖବରପାଇବା ପରେ କମାଣ୍ଡାଣ୍ଟ ଆନନ୍ଦ ଝା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୁମାର ରାଘବେନ୍ଦ୍ରଙ୍କ ନେତୃତ୍ୱରେ ସିଆର୍‌ପିଏଫ୍ ୧୨୭ ବାଟାଲିୟନର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ଏବଂ ଏନେଇ ଅପରେସନ ଆରମ୍ଭ କରିଥିଲେ।

ବିଶେଷଜ୍ଞ ଦଳକୁ ଅପରେସନ୍ ଟିମ୍ ସହ ପଠାଇ ଘଟଣାର ଅନୁସନ୍ଧାନ କରିବା ବେଳେ ଲଙ୍କାଗଡ଼ ଗାହାଲି ଗାଁ’ଠାରୁ ପ୍ରାୟ ୮୦୦ ମିଟର ଦୂରରୁ ଏକ ଟିଫିନ୍ ବୋମା ଉଦ୍ଧାର କରିବାରେ ସକ୍ଷମ ହୋଇଛି ସିଆର୍‌ପିଏଫ୍‌ର ଟିମ୍। ଏନେଇ ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି କମାଣ୍ଡାଣ୍ଟ୍ ଝା। ଟିଫିନ୍ ବୋମା ଉଦ୍ଧାର ପରେ ବୋମା ନିଷ୍କ୍ରିୟ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ହେଲେ ବର୍ତ୍ତମାନ ସମୟରେ କନ୍ଧମାଳର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ ନାମରେ ମାଓବାଦୀଙ୍କ କାର‌୍ୟ୍ୟକଳାପ ବଢ଼ୁଥିବା କୁହାଯାଉଛି। ଅନ୍ୟପଟେ ପୁଲିସ ପକ୍ଷରୁ ମଧ୍ୟ ଏନେଇ ରଣନିତି ପ୍ରସ୍ତୁତ କରାଯାଉଥିବା ଶୁଣିବାକୁ ମିଳୁଛି। କିନ୍ତୁ ଅଞ୍ଚଳରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି।

ସମସ୍ୟା ସୁଧୁରିବ କେବେ ଏବଂ କେବେ ଏହାର ସମାଧାନ ହେବ, ଏନେଇ ଚାଲିଛି କଳ୍ପନା ଜଳ୍ପନା। ଅନ୍ୟପଟେ ସିଆର୍‌ପିଏଫ୍‌ର ସ୍ବତନ୍ତ୍ର ଟିମ୍ ବହୁ ଖୋଜାଖୋଜି କରିବା ପରେ ସମ୍ପୃକ୍ତ ଅଞ୍ଚଳରୁ ୫ରୁ ୬ କିଲୋଗ୍ରାମର ମେକାନିଜମ ଏକ ଟିଫିନ୍ ବୋମା ମିଳିଥିଲା, ଯାହାକୁ ଅପରେସନରେ ଥିବା ସ୍ବତନ୍ତ୍ର ଦଳ ଦ୍ୱାରା ଘଟଣାସ୍ଥଳରେ ନଷ୍ଟ ହୋଇଯାଇଥିଲା ବୋଲି ସିଆରପିଏଫ୍ ପକ୍ଷରୁ କୁହାଯାଇଛି।