ବେଲଘର,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରୁ ୧୨୭ ସିଆରପିଏଫ୍ ବାଟାଲିୟନ୍ ଟିଫିନ୍ ବୋମା ନିଷ୍କ୍ରିୟ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଜଣେ ଅଜଣା ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ବୋହି ବେଲଘର ଥାନା ଲଙ୍କାଗଡ଼ ପଞ୍ଚାୟତ ଗାହିଲି ଗ୍ରାମକୁ ଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । କମାଣ୍ଡାଣ୍ଟ ଆନନ୍ଦ ଝା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ପରାମର୍ଶ ପରେ କୁମାର ରାଘବେନ୍ଦ୍ରଙ୍କ ନେତୃତ୍ୱରେ ଏଫ୍/୧୨୭ର ଏକ ଟିମ୍ ଡ୍ୟୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାଟାଲିୟନର ସନ୍ଧାନୀ କୁକୁର ‘ଡ୍ୟୁକ୍’ ସାହାଯ୍ୟରେ ଏହି ଅପରେସନ୍ ଟିମ୍ ଅନୁସନ୍ଧାନ କରୁଥିବାବେଳେ ଗହିଲି ଗାଁଠାରୁ ପ୍ରାୟ ୮୦୦ ମିଟର ଦୂରରେ ଏକ ଆଇଡି ପାଇଥିଲା । ଆଇଡି ନେଇ ଖବର ପାଇବା ପରେ ଦ୍ୱିତୀୟ କମାଣ୍ଡିଂ ଅଫିସର ମଉଲି ମୋହନ କୁମାରଙ୍କ ନେତୃତ୍ୱରେ ଇ/୧୨୭ ବାଟାଲିୟନର ଏକ ଟିମ୍ ତଥା ବିଡିଡି ଦଳ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ବିଡିଡି ସାଡ୍ର ସନ୍ଧାନ ସମୟରେ ପ୍ରାୟ ୦୫ରୁ ୦୬ କିଲୋଗ୍ରାମର ଟିଫିନ୍ ବୋମା ଏବଂ କମାଣ୍ଡ ମେକାନିଜିମ୍ ମିଳିଥିଲା । ଏହାକୁ ବିଡିଡି ଦଳ ନଷ୍ଟ କରିଥିଲେ ଏବଂ ସୁରକ୍ଷାକର୍ମୀ ତଥା ସାଧାରଣ ଲୋକଙ୍କ କୌଣସି କ୍ଷତି ହୋଇନଥିବା ସିଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି ।