ଆଇପିଏଲ୍‌: ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଫାଇନାଲ ପହଞ୍ଚିଲା ରାଜସ୍ଥାନ, ବାଙ୍ଗାଲୋରର ସ୍ୱପ୍ନ ଶେଷ

ଅହମ୍ମଦାବାଦ୍‌,ଏଜେନ୍ସି: ଆଇପିଏଲ୍‌-୨୦୨୨ର କ୍ୱାଲିଫାୟର-୨ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକେଟ୍‌ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି। ରାଜସ୍ଥାନ ମେ’ ୨୯ ତାରିଖରେ ଫାଇନାଲ ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁକ୍ରବାର ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିଥିଲା। ଫାଫ୍ ଡୁ’ ପ୍ଲେସିସଙ୍କ ନେତୃତ୍ୱରେ ବାଙ୍ଗାଲୋର ୮ଟି ୱିକେଟ୍ ହରାଇ ୧୫୭ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୮.୧ ଓଭରରେ ୩ଟି ୱିକେଟ ହରାଇ ୧୬୧ ରନ୍ କରିଥିଲା।

ରାଜସ୍ଥାନ ବିଜୟର ନାୟକ ସାଜିଥିଲେ ଜୋସ୍ ବଟଲର। ସେ ୬୦ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ଅପରାଜିତ ୧୦୬ ରନ୍ କରିଥିଲେ। ଏଥିରେ ୧୦ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ପ୍ରାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ୧୩ଟି ସାମ୍ନା କରି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୨୧ ରନ୍ କରିଥିଲେ। ସେହିପରି ଅଧିନାୟକ ସଂଜୁ ସାମସନ ୨୧ଟି ବଲ୍ ଖେଳି ୨୩ ରନ୍ କରିଥିଲେ। ବାଙ୍ଗାଲୋର ପକ୍ଷରୁ ଜୋସ ହେଜେଲଉଡ ୨ଟି ଓ ୱାନେନ୍ଦୁ ହସରଙ୍ଗା ଗୋଟିଏ ୱିକେଟ ନେଇଥିଲେ।

ରାଜସ୍ଥାନ ରୟାଲ ପ୍ରଥମ ଆଇପିଏଲ୍‌-୨୦୦୮ରେ ଚାମ୍ବିଅନ ହୋଇଥିଲା। ଏହା ପରେ ୨୦୨୨ରେ ଫାଇନାଲରେ ପ୍ରବେଶ କରିଛି। ୨୦୦୮ରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ ଶେନ ୱାର୍ଣ୍ଣ। କିନ୍ତୁ ଆଇପିଏଲ୍‌-୨୦୨୨ ଆରମ୍ଭ ହେବା ପୂର୍ବରୁ ଶେନ ୱାର୍ଣ୍ଣଙ୍କ ପରଲୋକ ହୋଇସାରିଥିଲା। ଅନ୍ୟପଟରେ ବାଙ୍ଗାଲୋର ଆଇପିଏଲ୍‌ରେ ଏପର୍ଯ୍ୟନ୍ତ କେବେବି ଟ୍ରଫି ଜିତିପାରି ନାହିଁ। କ୍ରମାଗତ ଭାବେ ୧୫ ବର୍ଷ ହେଲା ବାଙ୍ଗାଲୋରର ସ୍ୱପ୍ନ ଭାଙ୍ଗି ଯାଉଛି। ଏଥର ନୂଆ ଅଧିନାୟକ ଦଳକୁ ଟ୍ରଫି ଦେଇପାରନ୍ତି ବୋଲି ଆଶାକ କରାଯାଉଥିଲା। କିନ୍ତୁ ସେ ମଧ୍ୟ ବିଫଳ ହୋଇଛନ୍ତି।