ଫୁଲବାଣୀ,ଏନ୍ଏନ୍ଏସ୍: ଯେଉଁ ପୁଅର ଚିନ୍ତା କରି ନିଜେ ମା’ ଭଲରେ ଗଣ୍ଡେ ଖାଇବା ଛାଡ଼ିଦେଇଥିଲା ଶେଷରେ ସେହି ପୁଅ ହାତରେ ହିଁ ଗଲା ମା’ର ଜୀବନ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ। ପୁଅର କାଠ ଫାଳିିଆ ମାଡରେ ବିଧବା ମା’ ପ୍ରାଣ ହରାଇଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡାଙ୍ଗୀ ସାହିରେ ୬୦ ବର୍ଷ ବୟସ୍କା କସ୍ତୁରୀ କହଁରଙ୍କ ଘର। କିଛି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଛନ୍ତି। ୩୧ ବର୍ଷର ପୁଅ ଜିତେନ୍ଦ୍ରକୁ ଧରି ଚଳୁଥିଲେ ଏକୁଟିଆ ବିଧବା କସ୍ତୁରୀ। କିନ୍ତୁ କିଛି ଦିନ ହେଲା ପୁଅ ଜିତେନ୍ଦ୍ରର ମାନସିକ ସନ୍ତୁଳନ ଠିକ ରହୁ ନଥିଲା। ଗତ ୨-୩ ଦିନ ହେଲା ସେ ବିନା କାରଣରେ ଗଣ୍ଡଗୋଳ କରୁଥିବା ଏବଂ ସାହି ଲୋକଙ୍କୁ ମାରପିଟ କରୁଥିବା ସାହି ଲୋକେ ଅଭିଯୋଗ କରଥିଲେ। ତେଣୁ କସ୍ତୁରୀ ଜିତେନ୍ଦ୍ରକୁ ଏକ ଘରେ ତାଲା ପକାଇ ରଖୁଥିଲେ। ପୁଅକୁ ଏଭଳି ବନ୍ଦ କରି ରଖିବା ମା’ଙ୍କ ବାତ୍ସଲ୍ୟକୁ ବାଧୁଥିଲା। କସ୍ତୁରୀ ଗୁରବାର ସନ୍ଧ୍ୟାରେ ପୁଅ ବନ୍ଦ ଥିବା କୋଠରୀ ଖୋଲି ତାକୁ ବାହାରକୁ ବାହାର କରି ଦେଇଥିଲେ। ପୁଅ ଭୋକରେ ଥିବା ଭାବି ଭାତ ବାଢି ଜିତେନ୍ଦ୍ରକୁ ଖାଇବାକୁ ଡାକିଥିଲେ। କିନ୍ତୁ କୌଣସି କାରଣକୁ ନେଇ ମା’ ପୁଅଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହି ମଧ୍ୟରେ ଜିତେନ୍ଦ୍ର ଅଚାନକ ଏକ କାଠ ଫାଳିଆରେ ମା’ଙ୍କୁ ଆକ୍ରମଣ କରିଥିଲା। କସ୍ତୁରୀଙ୍କ ମୁଣ୍ଡ ପଛ ପାଖରେ ଆଘାତ ଲାଗିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପାଟି ତୁଣ୍ଡ ଶୁଣି ଆଖପାଖ ଲୋକେ ପହଞ୍ଚି ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ଖବର ପାଇ ଟାଉନ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କିରବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଟାଉନ ଥାନାରେ ଏନେଇ କେସ୍ ନଂ-୮୪/୨୨ ରୁଜୁ କରାଯାଇ ତଦନ୍ତ ଚାଲିଥିବା ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଜିତେନ୍ଦ୍ରକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ତେବେ ଅଭିଯୁକ୍ତ ଜିତେନ୍ଦ୍ରର ମାନସିକ ସନ୍ତୁଳନ ଠିକ ନଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।