ପୁରୀ,ଏନ୍ଏନ୍ଏସ୍: ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ପୁଣି ଆଜି ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ତଳୁଚ୍ଛା ସାହିର ଶିବରାମ ପାତ୍ର ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ସେ ଜଣେ ବ୍ୟବସାୟୀ ଥିଲେ ବୋଲି ଜଣାପଡ଼ିଛି।
ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ତା’ ନାଁ ଚନ୍ଦନ ବାରିକ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି।
ଶିବରାମ ତାଙ୍କ ବାଇକ୍ରେ ବଡ଼ଦାଣ୍ଡ ଆଡ଼କୁ ଯାଉଥିବା ବେଳେ ଚନ୍ଦନ ଓ ଅନ୍ୟ ଜଣେ ବ୍ୟକ୍ତି ଶିବରାମଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶିବରାମଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି। ସିଂହଦ୍ୱାର ଥାନା ପୁଲିସ୍ ଶିବରାମଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ପୁଲିସ୍ ସଙ୍ଗେ ସଙ୍ଗେ ଆକ୍ସନ ମୁଡ୍କୁ ଆସି ଜଣେ ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ମାର୍ଚ୍ଚ ୧୬ ତାରିଖରେ ପୁରୀରେ ଫୁଟିଥିଲା ଗୁଳି। ଏଥିରେ ଯାଇଥିଲା ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଜୀବନ।