ହାଇଦ୍ରାବାଦ,ଏଜେନ୍ସି: ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ ଉଡାଇଲେ ରାଫେଲ ଫାଇଟର ଜେଟ୍। ଗତକାଲି (ସୋମବାର) ପଶ୍ଚିମବଙ୍ଗ ସ୍ଥିତ ହାସିମାରା ଏୟାରବେସରୁ ଉଡାଇଲେ ରାଫେଲ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ବାୟୁସେନା କହିଛି, ହାସିମାରା ଏୟାରବେସରୁ ପୂର୍ବାଞ୍ଚଳର ସୁରକ୍ଷା ନେଇ ରାଫେଲ ସ୍କାର୍ଡନ ମୁତୟନ କରାଯିବା ସହ ପ୍ରସ୍ତୁତି ଜାରି ରହିଛି। ଯାହାର ଏକ ଅଂଶ ବିଶେଷ ସ୍ବରୂପ ଇଷ୍ଟର୍ଣ୍ଣ କାମାଣ୍ଡ ମୁଖ୍ୟ ରାଫେଲ ଉଡାଣ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନାକୁ ୩୬ରୁ ମୋଟ ୩୫ ରାଫେଲ ଯୁଦ୍ଧ ଫାଇଟର ମିଳିସାରିଛି। ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗତ ୨୦୧୬ ରେ ଫ୍ରାନ୍ସରୁ ୩୬ଟି ରାଫେଲ ଲଢୁଆ ଯୁଦ୍ଧ ବିମାନ ଆଣିବା ପାଇଁ ଚୁକ୍ତି କରିଥିଲେ। ଫଳରେ ୨୯ ଜୁଲାଇ ୨୦୨୦ରେ ଭାରତକୁ ମିଳିଥିଲା ପ୍ରଥମ ବ୍ୟାଚ ରାଫେଲ ଯୁଦ୍ଧ ବିମାନ। ମୋଟ ୩୬ ରାଫେଲ ବିମାନରୁ ୬ଟି ପ୍ରଶିକ୍ଷଣ ପାଇଁ ବ୍ୟବହାର ହେବାକୁ ଥିବା ବେଳେ, ଅବଶିଷ୍ଟ ଅପରେସନରେ ସାମିଲ ହେବ।
ରାଫେଲର ପ୍ରଥମ ସ୍କ୍ବାର୍ଡନ ଅମ୍ବାଲା ଏୟାରବେଶରେ ମୁତୟନ ହୋଇଥିବା ବେଳେ, ଦ୍ବିତୀୟ ସ୍କ୍ବାର୍ଡନ ପଶ୍ଚିମବଙ୍ଗ ହାସିମାରା ଏୟାରବେଶରେ ମୁତୟନ କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡରୁ ପୁରା ଦେଶର ପୂର୍ବାଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ବାୟୁସେନା ଯୋଜନା କରିଛି। ଏଥିପାଇଁ ଅରୁଣାଚଳ ପ୍ରଦେଶରୁ ଭାରତ ମହାସାଗର ପର୍ଯ୍ୟନ୍ତ ଚୀନର ଯେକୌଣସି ଯୋଜନାକୁ ପଣ୍ଡ କରିବା ପାଇଁ ବାୟୁସେନା ସ୍ବତନ୍ତ୍ର ଯୋଜନା କରୁଛି। ଏଥିପାଇଁ ଭାରତୀୟ ପ୍ରତିରକ୍ଷା ବାହିନୀର ୪ ଜଣ ଅପରେସନ କମାଣ୍ଡ ହାସିମାରା ଏୟାରବେସରେ ଏକତ୍ରିତ ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି।