ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ସୁଲିଆ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇ ୩ଜଣ ମହିଳା ବାରହା ଆକ୍ରମଣର ଶିକାର ହୋଇଛନ୍ତି । ସେମାନେ ହେଲେ କୁମ୍ଭାରୀ ଗାଁର ଦେବକୀ ରଣା, ଇନ୍ଦୁ ରେଖା ଛତ୍ରିଆ ଓ ଲମକାନି ଗାଁର ସତ୍ୟଭାମା ରଣା । ଉପରୋକ୍ତ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ସମ୍ପୃକ୍ତ ମହିଳା ସ୍ଥାନୀୟ ସୁଲିଆ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବା ପାଇଁ ଯାଇଥିବାବେଳେ ସେହି ସମୟରେ ବାରହା ଆକ୍ରମଣ କରିଥିଲା । ତାଳବାହାଲ ସରପଞ୍ଚ ନନ୍ଦି କିଶୋର ବଗର୍ତ୍ତି, କୁମ୍ଭାରୀ ନାୟବ ସରପଞ୍ଚ ବୁଲୁ ବଗର୍ତ୍ତି ଓ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଜଣେ ମହିଳା ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କୁମ୍ଭାରୀ ସରପଞ୍ଚ ସୌଳେନ୍ଦ୍ର ମହାନନ୍ଦ ଆହତ ହୋଇଥିବା ମହିଳାଙ୍କୁ କିଛି ସହାୟତା ଯୋଗାଇ ଦେଇଥିବା ମଧ୍ୟ କହିଛନ୍ତି । ଅନ୍ୟପଟେ ବନ ବିଭାଗ ଖବର ପାଇବା ପରେ ବାରହକୁ ଧରିବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି । ତେବେ ଆହତ ହୋଇଥିବା ମହିଳାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।