ନୂଆଦିଲ୍ଲୀ,ଏଜେନ୍ସି: ମହଙ୍ଗା ମାଡ ସମୟରେ ସାଧାରଣ ଲୋକଙ୍କୁ କିଛି ଆଶ୍ୱସ୍ତି ମିଳୁଥିବା ନଜର ଆସିଛି। ପ୍ରଥମେ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବା ପରେ ବର୍ତ୍ତମାନ ଖାଇବା ତେଲକୁ ଶସ୍ତା କରିଛନ୍ତି କେନ୍ଦ୍ର ସରକାର। ଦୁଇ ଦିନ ପୂର୍ବରୁ ସରକାରଙ୍କ ତରଫରୁ ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ଏବେ ଆଉ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି। ଏବେ ସୋରିଷ ତେଲ ଦର ହ୍ରାସ ହୋଇଛି। ଇଣ୍ଡୋନେସିଆ ପୁନର୍ବାର ରପ୍ତାନି ଆରମ୍ଭ କରିବା ପରେ ତେଲ ମୂଲ୍ୟ ହ୍ରାସ ଘଟିଛି।
ବୈଦେଶିକ ବଜାରରେ ଖାଇବା ତେଲ ଦର ବୃଦ୍ଧି ମଧ୍ୟରେ ଇଣ୍ଡୋନେସିଆ ତରଫରୁ ରପ୍ତାନି ଆରମ୍ଭ କରାଯିବା ସହିତ ଏହା ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି। ଗତ ସପ୍ତାହରେ ଅଧିକାଂଶ ତୈଳବିଜ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା। ଏହା ପ୍ରଭାବରେ ସୋରିଷ ତେଲ ମୂଲ୍ୟ ୪୦ଟଙ୍କା ଯାଏଁ ଶସ୍ତା ହୋଇଛି। ଏହା ଖାଇବା ତେଲ ଦରରେ ବଡ ହ୍ରାସ ବୋଲି ବିବେଚନା କରାଯାଉଛି।
ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସୋରିଷ ତେଲ ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୭,୫୧୫-୭,୫୬୫ ଟଙ୍କା ପ୍ରତି କ୍ୱିଣ୍ଟାଲରେ ପହଞ୍ଚିଯାଇଛି। ଏହାଦ୍ୱାରା ସୋରିଷ ଦାଦରୀ ତେଲ ୨୫୦ ଟଙ୍କା ହ୍ରାସ ପାଇ ୧୫,୦୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଥିଲା। ବୈଦେଶିକ ବଜାରରେ ବୃଦ୍ଧି ସତ୍ତ୍ୱେ ସୋୟାବିନ ଦାନା ଏବଂ ସୋୟାବିନ ଲୁଜ୍ର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ଏହା ୭,୦୨୫-୭,୧୨୫ ଟଙ୍କା (ସୋୟାବିନ ଦାନା) ଏବଂ ୬,୭୨୫-୬,୮୨୫ ଟଙ୍କା ପ୍ରତି କ୍ୱିଣ୍ଟାଲ (ସୋୟାବିନ ଲୁଜ୍)ରହିଛି। ବାଦାମ ରିଫାଇନ୍ ଦାମ୍ ମଧ୍ୟ ୨୫ ଟଙ୍କା ହ୍ରାସ ପାଇ ୨,୬୨୫-୨,୮୧୫ ଟଙ୍କା ରହିଥିବା ଜଣାପଡିଛି।