ନୂଆଦିଲ୍ଲୀ,ଏଜେନ୍ସି: କରୋନାର ଚତୁର୍ଥ ଲହର ଭାରତରେ ପ୍ରଭବହୀନ ରହିଛି। ମାତ୍ର ବିଶ୍ୱରେ ଏହାର ବର୍ଦ୍ଧିତ ପ୍ରଭାବକୁ ଦେଖି ଏହାର ଭୟାବହତା ଅନୁମାନ କରାଯାଇପାରେ। ବିଶ୍ୱ ବଜାର ପ୍ରଭାବିତ ହୋଇଥିଲେ ହେଁ ଭାରତ ଏତେଟା ପ୍ରଭାବିତ ହେବ ନାହିଁ ବୋଲି କହିଛି ଫାଇନାନ୍ସ ବ୍ରୋକରେଜ୍ କମ୍ପାନୀ ନୋମୁରା। ଭାରତୀୟ ବଜାରରେ ଅଳ୍ପରୁ ମଧ୍ୟମ ଧରଣର ପ୍ରଭାବ ରହିପାରେ ବୋଲି କମ୍ପାନୀ କହିଛି। ଏହି ସମୟରେ ଉଚ୍ଚ ମୁଦ୍ରାସ୍ପୀତି, ଘରୋଇ ନିବେଶରେ ହ୍ରାସ ଏବଂ ବିଶ୍ୱ ବଜାରରେ ଦୁର୍ବଳତା ଦେଖାଦେଇପାରେ ବୋଲି ନୋମୁରା ଅନ୍ୟ ଏକ ରିପୋର୍ଟରେ କହିଛି।
ସରକାରଙ୍କ ସହଜ ମୁଦ୍ରା ନୀତି ଏବଂ ସରକାରୀ ନିବେଶ ହେତୁ ଅଭିବୃଦ୍ଧି ଜାରି ରହିବ। ନୋମୁରା ନିକଟରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତର ଅଭିବୃଦ୍ଧିକୁ ୭.୪ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ୨୦୨୧-୨୨ରେ ୮.୪ ପ୍ରତିଶତ ଥିଲା।
କରୋନା ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଥିବା ଚାହିଦାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ଏବେ ସମୁଦାୟ ଚାହିଦା ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଁଞ୍ଚିଥିବା ବେଳେ ଯୋଗାଣ ଚାହିଦା ମଧ୍ୟ ବୃଦ୍ଧି ପାଇ ୯ ପ୍ରତିଶତରେ ପହଞ୍ଚିଛି। ଏଥି ସହିତ ଦେଶରେ ନିବେଶ ଏବଂ ଲୋକଙ୍କ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଛି। ତେବେ କରୋନା ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଚାକିରି କ୍ଷେତ୍ରରେ କୌଣସି ଅଭିବୃଦ୍ଧି ହୋଇନାହିଁ ବୋଲି ନୋମୁରା ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି।