ପାଟନା,ଏଜେନ୍ସି: ସହଯୋଗୀ ବିଜେପିକୁ ଅଣଦେଖା କରି ଜାତିଭିତ୍ତିକ ଜନଗଣନା ସପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଖୁବଶୀଘ୍ର ଏନେଇ ନୀତିଶ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ ମତାମତ ସଂଗ୍ରହ ପାଇଁ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଏହି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଥିବା ବେଳେ ସରକାର ମଧ୍ୟ ଏହି ଦିଗରେ ସ୍ବର ମିଳାଇଥିବା ଦେଖିବାକୁ ମିଳିଛି। ତେବେ ନୀତିଶଙ୍କ ଏପରି ନିଷ୍ପତ୍ତି ସହଯୋଗୀ ବିଜେପିକୁ ନୂଆ ଝଟକା ଦେଇଛି।
ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନିତୀଶ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳର ମତାମତ ପାଇଁ ଚଳିତ ୨୭ ତାରିଖରେ ରାଜ୍ୟରେ ସର୍ବଦଳୀୟ ବୈଠକ ଡାକାଯାଇଛି। ଏହି ବୈଠକରେ ସଂଗୃହୀତ ମତାମତ ଆଧାରରେ କ୍ୟାବିନେଟ ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରାଯିବ। କ୍ୟାବିନେଟରେ ଚୂଡାନ୍ତ ନିଷ୍ପତ୍ତି ପରେ ଜାତିଭିତ୍ତିକ ଜନଗଣନା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିବେ।
ଏହି ଜାତିଭିତ୍ତିକ ଜନଗଣନା ଦାବି କରି ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ପାଟନାରୁ ଦିଲ୍ଲୀ ଶୋଭାଯାତ୍ରା ବାହାର କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ତେବେ ନିତୀଶ ମଧ୍ୟ ତେଜସ୍ବୀଙ୍କୁ ଭେଟିବା ସହ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏବେ ନୀତିଶ ମଧ୍ୟ ଉକ୍ତ ପ୍ରସଙ୍ଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି।