ନୂଆଦିଲ୍ଲୀ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁନୀଲ ଜାଖର ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସୁନୀଲ ଜାଖର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପାର୍ଟିରେ ସାମିଲ ହେବା ପରେ ଜାଖର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଅଧ୍ୟକ୍ଷ ନଡ୍ଡାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ନଡ୍ଡା କହିଛନ୍ତି ଯେ, ଜାଖଡ଼ ଜୀଙ୍କୁ ବିଜେପିରେ ସ୍ୱାଗତ । ରାଷ୍ଟ୍ରବାଦୀ ଶକ୍ତିକୁ ପଞ୍ଜାବରେ ମଜଭୁତ କରିବାରେ ଆବଶ୍ୟକତା ରହିଛି ।
ବିଜେପିରେ ଯୋଗ ଦେବା ପରେ ସୁନୀଲ ଜାଖର କହିଛନ୍ତି ଯେ, ପରିବାର ସହ ୫୦ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗି ଏଠାକୁ ଆସିଛି କାହିଁକିନା ମୋ ନାଁରେ ମିଥ୍ୟା ଆରୋପ ଲଗାଯାଇଛି । ଜାତି-ଧର୍ମ ନାଁରେ ପଞ୍ଜାବକୁ ଭାଙ୍ଗିବାକୁ ମୁଁ ବିରୋଧ କରିବାରୁ ମୋତେ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଲା । ମୁଁ ପଞ୍ଜାବକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଚାହୁଁଛି । ଗୁରୁ ସାହେବଙ୍କ ପ୍ରକାଶ ପର୍ବ ଆଡ଼ମ୍ବର ସହକାରେ ପାଳନ କରି ପ୍ରଧାନମନ୍ତ୍ରୀ ପଞ୍ଜାବକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଦେଇଛନ୍ତି ।