ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: କୋଭିଡ କଟକଣା ହେତୁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୨୦ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୧୩ଟି, ସାମୁହିକ ଦରଖାସ୍ତ ୬ଟି ରହିଥିବା ବେଳେ, ଗୋଟିଏ ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସାହାଯ୍ୟ ନିମନ୍ତେ ଗ୍ରହଣ କରାଯାଇଛି।
ଗ୍ରହଣ କରାଯାଇଥିବା ୨୨୦ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ୧୩୮ଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୮୩ଟି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି। ଦୀର୍ଘ ଦିନରୁ ସ୍ଥଗିତ ଥିବା ଏହି ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଯୋଗଦାନ ଉତ୍ସାହ ଜନକ ରହିଥିବା ଦେଖିବାକୁ ମିଳିଛି।
ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପିଡି ଡି.ଆର.ଡି.ଏ ଡୋଳାମଣି ପଟେଲ, ସୋନପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହର, ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ୍ ସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ। ସେହିପରି ପରବର୍ତ୍ତୀ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ୨୫ ତାରିଖ ସୋମବାର ଦିନ ଜିଲ୍ଲାର ବୀରମହାରାଜପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ପ୍ରଶାସନ ତରଫରୁ ସୂଚୀତ କରାଯାଇଛି।