ଭାରତର ପ୍ରଥମ ଅଣ୍ଡର ୱାଟର ଟନେଲ, ୨୦୨୩ରେ ହେବ ଶୁଭାରମ୍ଭ

କୋଲକାତା,ଏଜେନ୍ସି: ପାଣି ଭିତରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ତିଆରି ଚାଲିଛି ଦେଶର ପ୍ରଥମ ଅଣ୍ଡର ୱାଟର ଟନେଲ। ଏହି ଟନେଲ କୋଲକାତାରେ ଆରମ୍ଭ ହୋଇଥିବାବେଳେ ୨୦୨୩ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ନେଇ କୋଲାକତା ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ କୁହାଯାଇଛି। ଏହି ଟନେଲର କାମ ଜୋରସୋରରେ ଚାଲିଥିବାବେଳେ ଏହା ଦେଶର ପ୍ରଥମ ଅଣ୍ଡର ୱାଟର ଟନେଲ।

ସେହିପରି ଏହା ହୁଗଳୀ ନଦୀରେ ହେଉଥିବାବେଳେ ଏହି ଅଣ୍ଡର ୱାଟର ଟନେଲ ହାୱାଡାରୁ କୋଲକାତାକୁ ସଂଯୋଗ କରିବ। ଏଥିସହ ଏହାର ଲମ୍ବ ୧୬.୬ କିଲୋମିଟର ହୋଇଥିବା ବେଳେ ପୂର୍ବ-ପଶ୍ଚିମ ବିସ୍ତାର ମଧ୍ୟରୁ ୫୨୦ ମିଟର ନଦୀ ଶଯ୍ୟା ତଳେ ଏହି ଟନେଲ ରହିବ। ଏହା ସହିତ ଟନେଲ କରିଡର ନଦୀ ବନ୍ଧର ୩୩ ମିଟର ତଳେ ନିର୍ମିତ ହେଉଛି, ଏବଂ ଏହା କୋଲକାତାକୁ ହାୱାଡା ସହିତ ସଂଯୋଗ କରିବ।

ସେହିଭଳି ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ମଧ୍ୟରେ ଏହି ଟନେଲ ନିର୍ମାଣରେ ଗୁରୁତ୍ବ ଦିଆଯାଇଛି। ଏଥିସହ ଯାତ୍ରୀଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାରର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସାଇଟ୍ ସୁପରଭାଇଜର ମିଥୁନ ଘୋଷ କହିଛନ୍ତି। ଏହା ସହିତ ଜରୁରୀକାଳୀନ ପରିସ୍ଥିତରେ ଯାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଟନେଲ ଭିତରେ ଚଲାବାଟ ରହିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଗୁରୁତ୍ୱପୂର୍ଣ୍ଣ ପାସେଜ କାର୍ଯ୍ୟ ମଧ୍ୟ ଧ୍ୟାନରେ ରଖାଯିବା ସହ ଅଣ୍ଡର ୱାଟର ଟନେଲରେ କୌଣସି ଯାନ୍ତ୍ରିକ ସମସ୍ୟା ଦେଖାଗଲେ ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ପାସେଜ ମାଧ୍ୟମରେ ଉଦ୍ଧାର କରାଯାଇ ପାରିବ ବୋଲି ଘୋଷ କହିଛନ୍ତି। ଏପଟେ ସେ ଆହୁରି ମଧ୍ୟ କହିଛନ୍ତି, ପ୍ରାୟ ୮୦ ପ୍ରତିଶତ କାମ ସରିଯାଇଥିବା ବେଳେ ପୂର୍ବ-ପଶ୍ଚିମ ହାୱାଡା ମେଟ୍ରୋ ଷ୍ଟେସନ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇ ସାରିଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଏହି ମେଟ୍ରୋ ସେବା ଆସନ୍ତା ବର୍ଷ ଅର୍ଥାତ ୨୦୨୩ର ଆରମ୍ଭ ହୋଇଯିବ ବୋଲି ମିଥୁନ ଘୋଷ ସୂଚନା ଦେଇଛନ୍ତି। ତେବେ ଏହି ଅଣ୍ଡର ୱାଟର ଟନେଲ ହେବା ଦ୍ବାରା କୋଲକାତାରେ ଦେଖାଯାଉଥିବା ଟ୍ରାଫିକ୍‌ ସମସ୍ୟା ଏକ ପ୍ରକାର ସମାଧାନ ହୋଇଯିବ ବୋଲି ଜଣାପଡିଛି।