ଡୁଙ୍ଗୁରିପାଳି ଓ ତେଣ୍ଡଲିପାଳିରେ ସୋଲାର ପ୍ଲାଣ୍ଟକୁ ବିରୋଧ, ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତ ଠାରେ ଗୋଚର ୧୨୪ ହେକ୍ଟର ଜିମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଥିବାର ଜଣାପଡିଛି। ଏହାକୁ ନେଇ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି। ଜମିର ଅଧିଗ୍ରହଣକୁ ନେଇ ଟିଟିଲାଗଡ ଏସ୍‌ଡ଼ିପିଓ ସୁରେନ୍ଦ୍ର ନାଥ ସତପଥୀ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ଟିଟିଲାଗଡ଼ ଅତିରିକ୍ତ ଉପ ଜିଲ୍ଲାପାଳ ଡ଼. ଲଳିତ ବାଗ, ସ୍ଥାନୀୟ ଥାନା ଅଧିକାରୀ ଅବନୀ ସାହୁଙ୍କ ସମେତ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇ ଜମିର ମାପ କରାଯାଇଥିଲା। ଗ୍ରାମବାସୀ ମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ପ୍ରକାଶ ଥାଉକି ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ପେଟ ପୋଷିବା ପାଇଁ ଏହି ଗୋଚର ଜମିରୁ କେନ୍ଦୁପତ୍ର, ଚାହାର, କେନ୍ଦୁ, ଆମ୍ବ ଭଳି ଅନେକ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି। ଯାହା ଏବେ ଭୋକିଲା ପେଟକୁ ଶୋଷଣ କରିବା ପାଇଁ ସୋଲାର ପ୍ଲାଣ୍ଟ ସ୍ଥାନପ କରାଯାଉଥିବା ଗ୍ରାମବାସୀ କହିଛନ୍ତି।

ସ୍ଥାନୀୟ ସରପଞ୍ଚ ଗଜପତି ସାହୁଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ସୋଲାର ପ୍ଲାଣ୍ଟ ସ୍ଥାପନ ନକରିବା ପାଇଁ ବିରୋଧ କରିଥିଲେ। ଏହି ସମୟରେ ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପୁଲିସ ପ୍ରଶାସନ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣ ଶୁଣିବା ପାଇଁ ନାରାଜ ହୋଇଥିଲେ। ଦୀର୍ଘ ସମୟ ଧରି ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଗ୍ରାମବାସୀ ମାନେ ଘେରାଉ କରି କାହା ନିର୍ଦ୍ଦେଶରେ ଏହି ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଓ କିଏ ଆପଣ ମାନଙ୍କୁ ପରାମର୍ଶ ଦେଲା ତାହାର ଉତ୍ତର ଦିଅନ୍ତୁ ବୋଲି ଗ୍ରାମବାସୀ ମାନେ କହିଥିଲେ। ଶେଷରେ ବାଧ୍ୟ ହୋଇ ପ୍ରଶାସନକୁ ଫେରିବାକୁ ପଡିଛି। କିନ୍ତୁ ଏହି ଅଞ୍ଚଳରେ ସୋଲାର ପ୍ଲାଣ୍ଟ ନିର୍ମାଣ ହେବା ପରେ ଅନେକ ମୂଲ୍ୟବାନ ଗଛ ଗୁଡିକ କଟିବ ଯାହାଦ୍ଵାରା ଲୋକେ ନିଜର ଜୀବନ ଜୀବିକା ହରାଇବାକୁ ବସିଛନ୍ତି। ଏନେଇ କିଛି ମାସ ତଲେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଲୋକେ ତହସିଲ କାର୍ଯ୍ୟଳୟ ଘେରାଉ କରିଥିଲେ। ସୋଲାର ପ୍ଲାଣ୍ଟକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ସେହି ସମୟରେ ଗ୍ରାମବାସୀଙ୍କ ସହ ପ୍ରଶାସନର ଆଲୋଚନା ହେବା ପରେ ସୋଲାର ପ୍ଲାଣ୍ଟ ନିର୍ମାଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ହେଲେ ସେ କଥାକୁ ଶୁଣିବା ପାଇଁ ଅଛି କିଏ ସେହି ସମୟରେ ତହସିଲଦାରଙ୍କୁ ଅନ୍ୟତ୍ର ବଦଳି ହୋଇ ଯାଇଥିବା ବେଳେ ନୂତନ ତହସିଲଦାର ଶ୍ରୀଯୁକ୍ତ ମେହେର ସେ ସମ୍ପର୍କରେ କିଛି ଜାଣିନ ଥିବା କହିଛନ୍ତି।

ପ୍ରକାଶ ଥାଉକି, ସମ୍ପୃକ୍ତ ସୋଲାର ପ୍ଲାଣ୍ଟ କାର୍ଯ୍ୟ କରିବା ପାଇଁ ଆଦିତ୍ୟ ବିର୍ଲା କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ଗ୍ରାମସଭା ଓ ଗ୍ରାମବାସୀଙ୍କ ଅଜାଣତରେ ୧୨୪ ହେକ୍ଟର ଜମି ହସ୍ତାନ୍ତର କରାଯାଇଛି।ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରକଳ୍ପ ହେବା ଦ୍ଵାରା ଉକ୍ତ ଅଞ୍ଚଳରେ ଗୋରୁ ଗାଈ ଚରିବା ପାଇଁ ସ୍ଥାନ ପାଇବେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟା ସମୟ ଆସିଲେ ଗୋଚର ଜମିରେ ଗାଈ ଗୋରୁଙ୍କ ହାଣ୍ଡିସାଳ ବନ୍ଦ ହୋଇଯିବ। କାହା ଚାପରେ ଏତେ ବଡ଼ ସୋଲାର ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି ତାହାକୁ ନେଇ ଗ୍ରାମବାସୀ ମାନେ ବଡ଼ ପ୍ରଶ୍ନ ଉଠାଇଛନ୍ତି। ଯଦି ପ୍ରଶାସନ ଜୋରଜବରଦସ୍ତ ସୋଲାର ପ୍ଲାଣ୍ଟ ନିର୍ମାଣ କରିବ ତାହେଲେ ଆଗାମୀ ଦିନରେ ରାଜ ରାସ୍ତାରେ ନିଆଁ ଜଳିବ ବୋଲି ସ୍ଥାନୀୟ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।