ମୁମ୍ବାଇ,ଏଜେନ୍ସି: ଚଳିତ ଆଇପିଏଲ୍ର ଦ୍ବାଦଶ ମ୍ୟାଚ୍ରେ ପୂର୍ବବିଜେତା ସନରାଇଜର୍ସ ହାଇଦ୍ରାବାଦକୁ ନବାଗତ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ୧୨ ରନ୍ରେ ପରାସ୍ତ କରିଛି। ଦ୍ବିତୀୟ ମ୍ୟାଚ୍ରୁ ହାଇଦ୍ରାବାଦର ଏହା ଦ୍ବିତୀୟ ପରାଜୟ ହୋଇଥିଲା ବେଳେ ଲକ୍ଷ୍ନୌ ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ହାସଲ କରିଛି। ସୋମବାର ରାତିର ଏହି ମ୍ୟାଚ୍ରେ ଲକ୍ଷ୍ନୌ ଘୋର ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇ ୫ ଓଭର ଭିତରେ ତିନି ଜଣ ପ୍ରମୁଖ ବ୍ୟାଟର୍ଙ୍କୁ ହରାଇବା ସତ୍ତ୍ବେ ହାଇଦ୍ରାବାଦ ସମ୍ମୁଖରେ ୧୭୦ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ଏହାର ଜବାବରେ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୫୭ ରନ୍ କରି ଲଗାତାର ପରାଜୟ ବରଣ କରିଥିଲା। ତା ସହ ପଏଣ୍ଟ ଖାତା ଖୋଲିବାର ଭଲ ସୁଯୋଗ ବି ହାତଛଡ଼ା କରିଥିଲା। ଅଧିନାୟକ କେନ୍ ୱିଲିୟମସନ୍ଙ୍କ ସମେତ ଅଧିକାଂଶ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ।
ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ୨୭ ରନ୍ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ହେଲେ ଅଧିନାୟକ କେଏଲ୍ ରାହୁଲ (୬୮) ଏବଂ ଦୀପକ ହୁଡ଼ା (୫୧)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍ର ସମ୍ମାନଜନକ ସ୍କୋର କରି ନେଇଥିଲା। ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’ କକ୍, ଇଭିନ ଲୁଇସ୍ ୧ ରନ୍ ଲେଖାଏଁ କରିଥିଲେ।