ଆଇସିସି ମୋଷ୍ଟ୍ ଭାଲ୍ୟୁଏବଲ୍ ଟିମ୍‌ରେ ୪ ଅଷ୍ଟ୍ରେଲୀୟ

ଦୁବାଇ,ଏଜେନ୍ସି: ରବିବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଶେଷ ହୋଇଥିବା ବେଳେ ସୋମବାର ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟ୍‌ର ମୋଷ୍ଟ୍ ଭାଲ୍ୟୁଏବଲ୍ ଟିମ୍‌ର ଘୋଷଣା କରାଯାଇଛି। ଏହି ଟିମ୍‌ରେ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦଳର ୪ ଜଣ ଖେଳାଳି ଥିବା ବେଳେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତୀୟ ଦଳର ଜଣେ ବି ଖେଳାଳି ନାହାନ୍ତି। ଟିମ୍‌ରେ ସ୍ଥାନ ପାଇଥିବା ୪ ଜଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ଉଭୟ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିବା ଆଲିସା ହିଲି, ଅଧିନାୟିକା ମେଗ୍ ଲାନିଙ୍ଗ୍‌, ଉପଅଧିନାୟିକା ତଥା ଓପନର ରାଚେଲ୍ ହେନ୍ସ ଓ ବେଥ୍ ମୂନୀ ରହିଛନ୍ତି।

ଗତ ବିଶ୍ୱକପ୍‌ରେ ହିଲି ସର୍ବାଧିକ ୫୦୯ ରନ୍ କରିଥିବା ବେଳେ ହେନ୍ସ ଦ୍ୱିତୀୟ ସର୍ବାଧିକ ୪୯୭ ରନ୍ କରିଥିଲେ। ଆଇସିସି ପକ୍ଷରୁ ଘୋଷିତ ଟିମ୍‌ରେ ହେନ୍ସଙ୍କୁ ଚତୁର୍ଥ ସ୍ଥାନରେ ରଖାଯାଇଥିବା ବେଳେ ତାଙ୍କ ଓପନିଂ ଯୋଡ଼ିଦାର ହିଲିଙ୍କ ସହ ସାଉଥ୍ ଆଫ୍ରିକାର ଲୌରା ଉଲଭାର୍ଟଙ୍କୁ ଓପନର୍ ଭାବେ ନିଆଯାଇଛି। ୨୨ ବର୍ଷୀୟ ଉଲଭାର୍ଟ ଗତ ବିଶ୍ୱକପ୍‌ରେ ୫ଟି ଅର୍ଦ୍ଧଶତକ କରିଥିବା ବେଳେ ଟିମ୍‌ରେ ତାଙ୍କ ସହ ଅଲ୍‌ରାଉଣ୍ଡର୍ ମାରିଜେନ୍ କାପ୍ ଓ ପେସର୍ ଶବନିମ୍ ଇସମାଲଙ୍କୁ ସ୍ଥାନ ମିଳିଛି।

ରନର୍ସଅପ୍ ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ୍ ଓ ନାତାଲି ସ୍କିଭର୍ ରହିଥିବା ବେଳେ ୱେଷ୍ଟ୍‌ଇଣ୍ଡିଜ୍‌ର ହେଲି ମାଥ୍ୟୁସ୍ ଓ ବାଂଲାଦେଶର ସଲମା ଖାତୁନ୍ ସ୍ଥାନ ପାଇଛନ୍ତି। ବାଂଲାଦେଶ ଅଫ୍‌ସ୍ପିନର୍ ଖାତୁନ୍ ଗତ ବିଶ୍ୱକପ୍‌ରେ ୧୦ଟି ୱିକେଟ୍ ନେଇଥିଲେ। ସେହିପରି ଚାର୍ଲି ଡିନ୍ ଦ୍ୱାଦଶ ଖେଳାଳି ଭାବେ ରହିଛନ୍ତି।