ପୌରାଧ୍ୟକ୍ଷା ଦାୟିତ୍ୱ ନେଲେ ଶାନ୍ତି ମଞ୍ଜରୀ ଦେଇ, ପୌରାଧ୍ୟକ୍ଷାଙ୍କୁ ପୌରକାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ନୂତନ ଅଧ୍ୟକ୍ଷା ଭାବେ ନବ ନିର୍ବାଚିତ ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀନୀ ଶାନ୍ତି ମଞ୍ଜରୀ ଦେଇ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପୌରନିର୍ବାହୀ ଅଧିକାରୀ ଆତସି ପରିଡା ଓ ପୌର କର୍ମଚାରୀ ବୃନ୍ଦ ନବ ନିର୍ବାଚିତ ପୌରଧ୍ୟକ୍ଷାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆସନ ପ୍ରଦାନ କରିଥିଲେ। ଏହି ଅବସରରେ ନବ ନିର୍ବାଚିତ ପୌରାଧକ୍ଷା ପୌର ପରିଷଦର ଶାସକ ଓ ବିପକ୍ଷ ସମସ୍ତ ସଦସ୍ୟଙ୍କୁ ନେଇ ଦେବଗଡ଼ ପୌରାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ସାକ୍ଷାତ କରିବା ସହି ପୌର କାର୍ଯ୍ୟାଳୟ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ସେହିପରି ସହରର ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଦୃଷ୍ଟି ଦେବାକୁ ପୌର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ଚନ୍ଦ୍ର ପ୍ରଧାନ, ନବ ନିର୍ବାଚିତ ବିଜେଡିର ୧ ନମ୍ବର ୱାର୍ଡ କାଉନସିଲର ପ୍ରମିଳା ବେହେରା, ୨ ନମ୍ବର ୱାର୍ଡ କାଉନସିଲର ସଂଯୁକ୍ତା ଆଚାର୍ଯ୍ୟ, ୩ ନମ୍ବର ୱାର୍ଡ କାଉନସିଲର ବାସନ୍ତିମଣି ମାଝୀ, ୫ ନମ୍ବର ୱାର୍ଡ କାଉନସିଲର ଯତୀନ ନାଏକ, ଦଳୀୟ ନେତା ରାଜ କିଶୋର ଦାଶ, ଅମରେନ୍ଦ୍ର ଗଙ୍ଗଦେବ, ବିକାଶ ପ୍ରଧାନ, ମାନସ ପ୍ରଧାନ, ଜିଲ୍ଲା ବିଜେଡି ଯୁବ ସଭାପତି ପପୁନ ଦେବ, ନଗର ସଭାପତି ଶୁକଦେବ ଭଞ୍ଜଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ।